ରାଇରଙ୍ଗପୁର:ନିର୍ଣ୍ଣାୟକ ହେବେ ହୋ ଓ ମହାନ୍ତ ସମ୍ପ୍ରଦାୟ
ବାରିପଦା, ୬/୪(ସକାଳଖବର): ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ୨୮ନଂ-ରାଇରଙ୍ଗପୁର(ଏସଟି) ଆସନ ଅନେକ ଗୁରୁତ୍ୱ ବହନ କରିଥାଏ । ଆସନ୍ତା ଏପି୍ରଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ସମୟରେ ନାମାଙ୍କନ ପତ୍ର ଦାଖଲ ଏପ୍ରିଲ ୨ରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୯ରେ ଶେଷ ହେବ । ଏଥି ନିମନ୍ତେ ସମସ୍ତ ରାଜନୈତିକ ଦଳ ତପôର ହୋଇଉଠିଛନ୍ତି । ନିର୍ବାଚନ ମଣ୍ଡଳୀରେ ବିଜେପିରୁ ନବ ଚରଣ ମାଝି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡ଼ି ଓ ଜେଏମଏମ ସଜବାଜ ହେଉଛନ୍ତି । ଏହା ମଧ୍ୟରେ ଜେଏମଏମ ପକ୍ଷରୁ ଜାରି କରିଥିବା ପ୍ରାର୍ଥୀ ତାଲିକାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ରାଇରଙ୍ଗପୁର ଆସନ ନିମନ୍ତେ ସୁନାରାମ ଟୁଡ଼ୁଙ୍କ ନାମ ହଟା ଯାଇ ରାମଚନ୍ଦ୍ର ମୁର୍ମୁଙ୍କ ନାମ ଘୋଷଣା ହୋଇସାରିଛି । ଫଳରେ ଉକ୍ତ ବିଧାନସଭା କ୍ଷେତ୍ର ବିଜେଡ଼ି, ବିଜେପି ଓ ଜେଏମଏମ ନିମନ୍ତେ ସମ୍ମାନର ପ୍ରଶ୍ନ ପାଲଟିଛି । ବିଜେପି ଓ ଜେଏମଏମ ଦୁର୍ଗକୁ ଜୟ କରିବା ଓ ବିଜେଡ଼ି ରକ୍ଷା କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ ଓ ରଣନୀତି ପ୍ରସ୍ତୁତି ମାଧ୍ୟମରେ ସମରସଜ୍ଜା ଚଳାଇଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମୋଡ଼କୁ ପରଖିବା ସହଜ ମନେ ହେଉନାହିଁ । ସେମାନେ କେଉଁ ଆଡ଼କୁ ଢ଼ଳିବେ ତାହା ମଧ୍ୟ ଏକ ସସପେନ୍ସ ହୋଇପଡ଼ିଛି । ତେବେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, ବିଜେପି ଓ କଂଗ୍ରେସ-ଜେଏମଏମ ମେଂଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏଥିରେ ମହାନ୍ତ ଓ ହୋ ସମ୍ପ୍ରଦାୟର ଭୋଟର ନିର୍ଣ୍ଣାୟକ ଭୂମିକା ନେବେ ବୋଲି ସୂଚନା ମିଳିଛି ।
୨୦୧୪ ନିର୍ବାଚନରେ ରାଇରଙ୍ଗପୁର ଆସନକୁ ବିଜେଡ଼ି ଦଖଲ କରିଥିବା ବେଳେ ୨୦୦୦ ଓ ୨୦୦୪ ବିଜେଡ଼ି-ବିଜେପି ମେଂଟ ସରକାରରେ ବିଜେପି ଦଖଲରେ ରହିଥିଲା । ସେହିପରି ୨୦୦୯କୁ ମିଶାଇ ଏଠାରୁ କଂଗ୍ରେସ ୬ଥର, ଜନତା ପାର୍ଟି ୨, ସ୍ୱାଧୀନ, ଜେଏମଏମ, ଉକ୍ରଳ କଂଗ୍ରେସ, ଓ ଜନତାଦଳ ପ୍ରତ୍ୟେକେ ଥରେ ଲେଖାଏଁ ବିଜୟୀ ହୋଇଥିଲେ । ଏହାପରେ ୨୦୦୮ରେ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ବହଳଦା ନିର୍ବାଚନ ମଣ୍ଡଳୀ ଉଚ୍ଛେଦ ହୋଇଥିଲା ଏବଂ ବହଳଦା ବ୍ଲକ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା । ୨୦୦୯ ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ କେନ୍ଦ୍ରକରି ବିଜେଡ଼ି ଓ ବିଜେପି ମଧ୍ୟରେ ଗଢ଼ି ଉଠିଥିବା ମଧୁଚନ୍ଦ୍ରିକାରେ ଭଟ୍ଟା ପଡ଼ିବାରୁ ବିଜେଡ଼ି ନିର୍ବାଚନ ମଣ୍ଡଳୀରେ ନିଜର ବଳ, ଶକ୍ତି ଓ ଲୋକପ୍ରିୟତାକୁ ଆକଳନ କରିନପାରି ନିର୍ବାଚନ ମଣ୍ଡଳୀକୁ ତାର ଭାଗୁଆଳି ଦଳ ଏନସିପି ହାତରେ ଟେକି ଦେଇଥିଲା ଏବଂ ଏନସିପି ପ୍ରାର୍ଥୀ କାଶିନାଥ ହେମ୍ବ୍ରମ ୧୨.୮୮ ପ୍ରତିଶତ ହାରରେ ୧୪,୮୨୮ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦାଃ ୨୧.୫୩ ପ୍ରତିଶତ ହାରରେ ୨୪,୭୯୨ ଖଣ୍ଡ ଭୋଟ ପାଇ ୫ମୁଖୀ ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିଲେ । ସେହିପରି ଜେଏମଏମ ପ୍ରାର୍ଥୀ ୧୭.୫୩ ପ୍ରତିଶତ ହାରରେ ୨୦,୧୯୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ ବିଜେପି ପ୍ରାର୍ଥୀ ୧୫.୫୪ ପ୍ରତିଶତ ହାରରେ ୧୭,୮୯୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ସମୟରେ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ତଥା ଗତ ମାର୍ଚ୍ଚ ୧୫ରେ ନବୀନ ନିବାସରେ ବିଜେଡ଼ିର ହାତ ଧରିଥିବା ଓ ବହଳଦା ଆସନରୁ ୧୯୯୦ରେ ଆଜସୁଦ୍ଧା, ୧୯୯୫ରେ ଜେପିପିରୁ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ଖେଲାରାମ ମାହାଲି ୧୦.୮୬ ପ୍ରତିଶତ ହାରରେ ୧୨,୫୦୪ ଖଣ୍ଡ ଭୋଟ ପାଇ ପଂଚମ ସ୍ଥାନରେ ରହିଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ନେତାଙ୍କ ଉପରେ ଆସ୍ଥା ହରାଇ କଂଗ୍ରେସ ଦଳରୁ ଆମଦାନୀ କରାଇ ସାଇବା ସୁଶୀଳ ହାଁସଦାଃଙ୍କୁ ପ୍ରାର୍ଥୀ କରାଇବା ପରେ ଚର୍ତୁମୁଖୀ ପ୍ରତିଦ୍ୱନ୍ଦିତାରେ ଶ୍ରୀ ହାଁସଦାଃ ୩୨.୭୨ ପ୍ରତିଶତ ହାରରେ ୫୧,୦୬୨ ଖଣ୍ଡ ଭୋଟ ପାଇ ଏବଂ ୧୫,୫୫୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପରାସ୍ତ କରିଥିଲେ । ଶ୍ରୀମତୀ ମୁର୍ମୁ ୨୨.୭୬ ପ୍ରତିଶତ ହାରରେ ୩୫,୫୦୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଜେଏମଏମ ୧୮.୪୮ ପ୍ରତିଶତ ହାରରେ ୨୮,୮୩୮ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୨.୨୨ ପ୍ରତିଶତ ହାରରେ ୧୯,୦୭୫ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ ।