ପ୍ରଶାନ୍ତ-ଅମରେନ୍ଦ୍ର ଗୋଷ୍ଠୀ ମୁହାଁମୁହିଁ

Apr 7, 2019 - 06:04
 119
ଜଗତସିଂହପୁର, ୬/୪(ସକାଳଖବର): ଟିକେଟ୍ ବଂଟନକୁ ନେଇ ବିଜେଡ଼ିରେ ଅସନ୍ତୋଷ ଓ ଦଳୀୟ କନ୍ଦଳ ଲାଗିରହିଛି । ଆଜି ଏହି ଦଳୀୟ କନ୍ଦଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ କଥା ପଦାକୁ ଆସିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ମୁଣ୍ଡାଳ ଛକରେ ଆଜି ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ଓ ଆଶାୟୀଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଚଳିତ ନିର୍ବାଚନରେ ଜଗତସିଂହପୁର ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ଟିକେଟ୍ ଆଶାୟୀ ଅମରେନ୍ଦ୍ର ଦାଶ ବିରୋଧ କରି ଆସୁଛନ୍ତି । ଆଜି ପ୍ରଶାନ୍ତ ନିଜ ସମର୍ଥକଙ୍କ ସହିତ ରାଲିରେ ନାଉଗାଁ ଅଭିମୁଖେ ଯାଉଥିବା ବେଳେ ମୁଣ୍ଡାଳ ଛକ ଠାରେ ଅମରେନ୍ଦ୍ରଙ୍କ ସମର୍ଥକ ମାନେ ପ୍ରଶାନ୍ତଙ୍କ ଗାଡ଼ି ଆଗକୁ ଆସି କଳା ପତକା ଦେଖାଇବା ସହ ପ୍ରଶାନ୍ତ ମୁଦୁଲି ଗୋ ବ୍ୟାକ୍ ନାରା ଦେଇଥିଲେ । ଅମରେନ୍ଦ୍ରଙ୍କ ସମର୍ଥକଙ୍କ ଏଭଳି ନାରାବାଜିକୁ ପ୍ରଶାନ୍ତଙ୍କ ସମର୍ଥକ ଦୃଢ଼ ବିରୋଧ କରିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ଏବଂ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପ୍ରଶାନ୍ତଙ୍କ ସମର୍ଥକ ବାଉଁଶ ଧରି ବିରୋଧୀ ଗୋଷ୍ଠୀର ଲୋକଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି । ସ୍ଥିତି ଏପରି ଥିଲା ଯେ, କିଛି ସମୟ ପାଇଁ ଘଟଣାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଶେଷରେ ଅମରେନ୍ଦ୍ରଙ୍କ ସମର୍ଥକ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଥିଲେ । ପ୍ରକାଶ ଥାଉ କି, ଜଗତସିଂହପୁର ବିଧାନସଭା ଆସନରୁ ଅମରେନ୍ଦ୍ର ଦାଶ ବିଜେଡ଼ିରୁ ପ୍ରାର୍ଥୀ ହେବାକୁ ଚାହୁଁଥିଲେ । ମାତ୍ର ବିଜେଡ଼ି ଅମରେନ୍ଦ୍ରଙ୍କ ପରିବର୍ତେ ପ୍ରଶାନ୍ତଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ଅମରେନ୍ଦ୍ର ଓ ତାଙ୍କ ସମର୍ଥକ ମାନେ ବିରୋଧ କରି ଆସୁଛନ୍ତି ।