ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ: ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପାସ କରିଛନ୍ତି।
ଏଣେ ବାଣିଜ୍ୟରେ ମୋଟ୍ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୯,୫୩୬ ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଓ ୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ୍ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି।