ମାଓବାଦୀ ବିକାଶ ବିରୋଧୀ ନୁହଁନ୍ତି - କେକେବିଏନ୍ ଡିଭିଜନ

Mar 30, 2019 - 05:28
 181
କନ୍ଧମାଳ,୨୯/୩(ସକାଳଖବର): ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ମାଓବାଦୀ କେ.କେ.ବି.ଏନ୍.) ଡିଭିଜନାଲ୍ କମିଟି ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରାଯାଇଛିି । ଏହି ପ୍ରେସ୍ ବିଜ୍ଞପ୍ତିରେ ମାଓବାଦୀ ପାର୍ଟି ବିକାଶ ବିରୋଧୀ ନୁହଁନ୍ତି ବୋଲି ଉପରେ ଲିଖିତ ଥିବା ବେଳେ ତଳେ ରାଜ୍ୟ ସରକାର ଓ ପୋଲିସ୍ ପ୍ରଶାସନ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ରହିଛି । ଆଜି ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟକୁ ହ୍ୱାଟସଅପ ଓ ଫେସବୁକ ଜରିଆରେ ଜାରି କରାଯାଇଥିବା ଏହି ପ୍ରେସ୍ ବିଜ୍ଞପ୍ତିରେ ଆଜିର ସରକାରୀ ବିକାଶ ଯୋଜନା, ନାମରେ ଶୋଷିତ ପୀଡ଼ିତ ଲୋକଙ୍କ ପାଇଁ ଭିକ୍ଷାଥାଳି ଯୋଜନା ବୋଲି ଉଲ୍ଲେଖ କରାଯିବାସହିତ ଏହା କେବଳ ପ୍ରହେଳିକା, ପ୍ରତାରଣା ଓ ଧୂଅାଁବାଣ ସଦୃଶ ଅଟେ ବୋଲି ଉଲ୍ଲେଖ ରହିଛି । ଏଥିରେ ଦେଶୀ, ବିଦେଶୀ କମ୍ପାନୀ, ଜମିଦାର ଓ ଧନୀ ଲୋକଙ୍କ ସ୍ୱାର୍ଥ ରକ୍ଷା ଏବଂ ଆବଶ୍ୟକତା ପାଇଁ ବିକାଶ ଯୋଜନା ହୋଇଥାଏ । ଯାହା ଫଳରେ ନେତା, ଅମଲା, ଦଲାଲ, ଠିକାଦାର, ସରକାରୀ କର୍ମଚାରୀଙ୍କ ପକେଟ୍ ଗରମ ହୋଇଥାଏ, ଏଥିରେ ପଲ୍ଲିଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଚୁର ମାତ୍ରାରେ ଦୁର୍ନିତି ଓ ଘୋଟାଲା ହୋଇଥାଏ ବୋଲି ଉଲ୍ଲେଖ ରହିବା ସହ ଏହି ଅଂଚଳରେ ମାଓବାଦୀ ବିକାଶକୁ ବିରୋଧ କରୁନାହିଁ ବରଂ ଲୋକଙ୍କ ସାମାଜିକ ଓ ଆର୍ଥିକ ଦାବୀ ସହ ମୌଳିକ ସୁବିଧା ପାଇଁ ଏହି ଆନେ୍ଦାଳନ ଜାରି ରଖି ଥିବା ବିଷୟ (ମାଓବାଦୀ) କେ.କେ.ବି.ଏନ୍. ପକ୍ଷରୁ ଏହି ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଯାଇଛି । ପୋଲିସ୍ ଅଧିକାରୀ ଗଣମାଧ୍ୟମ ଦ୍ୱାରା ପ୍ରଚାର କରୁଛନ୍ତି ଯେ, ମାଓବାଦୀମାନେ ଗଞ୍ଜେଇ ମାଫିଆଙ୍କ ସହାୟତାରେ ମୋଟା ଅଙ୍କରେ ଚାନ୍ଦା ଆଦାୟ କରି ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ବିଦେଶରୁ ଅସ୍ତ୍ର ଆମଦାନୀ କରୁଛନ୍ତି । ଏହା ସଂପୂର୍ଣ୍ଣ ମିଥ୍ୟା, ନେତା, ଦଲାଲ ପୋଲିସ୍ ଅଫିସର ମିଶି ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରଛନ୍ତି ବୋଲି ମାଓବାଦୀଙ୍କ ପକ୍ଷରୁ ଉକ୍ତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି । ଏତଦ୍ ବ୍ୟତୀତ କେଉଁ ଦଳ କେଉଁ ଠାରୁ ଚାନ୍ଦା ଆଣି ଦଳ ଚଳାଉଛି ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜକୋଷକୁ କରଜରେ ଚଳାଉଥିବା ଭଳି ଅନେକ ବିଷୟ ଉଲ୍ଲେଖ ରହିଛି ।