କେନ୍ଦ୍ରୀୟ ବଜେଟ ନୈରାଶ୍ୟ ଜନକ- ନବୀନ

Feb 2, 2019 - 17:54
 149
କେନ୍ଦ୍ରୀୟ ବଜେଟ ନୈରାଶ୍ୟ ଜନକ- ନବୀନ
ଭୁବନେଶ୍ୱର,୧/୨(ସକାଳଖବର): କେନ୍ଦ୍ରୀୟ ବଜେଟରେ କୃଷକ ମାନଙ୍କ ପାଇଁ ଘୋଷଣା କରାଯାଇଥିବା କୃଷକ ସମ୍ମାନ ନିଧି ଯୋଜନା ସ୍ୱାଗତଯୋଗ୍ୟ ହେଲେହେଁ ଓଡ଼ିଶା ସରକାରଙ୍କର କାଳିଆ ଯୋଜନା ସହିତ ସମାନ ନୁହେଁ । ଏହି କାଳିଆ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ, ଭାଗଚାଷୀ ଏବଂ ଦୁସ୍ଥ ଚାଷୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ସହ ସହାୟତା ରାଶି ୧୦ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଥିଲା ବେଳେ କେନ୍ଦ୍ରୀୟ ଯୋଜନାରେ ସେ ବ୍ୟବସ୍ଥା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରି କହିଛନ୍ତି । ଅନ୍ୟପକ୍ଷରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନା, ବାର୍ଦ୍ଧକ୍ୟ ଭତା ଓ ଅନ୍ୟାନ୍ୟ ଭତାକୁ ସଂଶୋଧନ କରାନଯିବା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଓଡ଼ିଶାରେ ରାଜ୍ୟ ସରକାର ୪୮ ଲକ୍ଷ ହିତାଧିକାରୀଙ୍କୁ ମାସିକ ୫ ଶହ ଟଙ୍କା ଭତା ଦେଉଥିଲା ବେଳେ କେନ୍ଦ୍ର ସରକାର ମାସକୁ ୨୦୦ ଟଙ୍କା ଲେଖାଏଁ ୨୦ ଲକ୍ଷ ହିତାଧିକାରୀଙ୍କୁ ଦେଉଛନ୍ତି । ସେହିପରି ଅନୁସୂଚିତ ଜାତି, ଜନଜାତି କଲ୍ୟାଣ, ଭିତିଭୂମି ଏବଂ ଶିକ୍ଷା ପାଇଁ ଯେଉଁଭଳି ଭାବେ ଅର୍ଥର ବ୍ୟବସ୍ଥା କରାଯିବା କଥା ତାହା କରାନଯିବା ଉପରେ ଅନୁରୂପ ଭାବେ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ପଢ଼ୁଥିବା ଅନୁସୂଚିତ ଜାତି, ଜନଜାତି ପିଲାମାନଙ୍କ ଷ୍ଟାଇପେଣ୍ଡ ପୁନର୍ବାର ପ୍ରଚଳନ କରିବା ନେଇ ଚିଠି ଲେଖିଥିଲେ ହେଁ ତା ଉପରେ କୌଣସି ପଦକ୍ଷେପ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଗଲା ନାହିଁ କି ବଜେଟରେ ବ୍ୟବସ୍ଥା କରାଗଲା ନାହିଁ । ମହାତ୍ମାଗାନ୍ଧୀ ନରେଗା ଯୋଜନା ପାଇଁ ବରାଦ ହୋଇଥିôବା ଅର୍ଥ ସଂଶୋଧିତ ଅଟକଳ ଠାରୁ କମ୍ ରଖାଯାଇଛି । ଯାହାଫଳରେ ଉପଯୁକ୍ତ ସମୟରେ ପାରିଶ୍ରମିକ ପୈଠ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେବ । ସେ ଉଦବେଗ ପ୍ରକାଶ କରି କହିଥିଲେ ଯେ, ଚଳିତ ବଜେଟରେ ଗ୍ରାମ ସହିତ ଯୋଗାଯୋଗ ରକ୍ଷା କରିବା, ଗ୍ରାମ୍ୟ ଗୃହ ନିର୍ମାଣ ଏବଂ ପାନୀୟ ଜଳ ପାଇଁ ବରାଦ ହୋଇଥିବା ଅର୍ଥ ବିଗତ ବର୍ଷ ତୁଳନାରେ ହ୍ରାସ କରାଯାଇଛି । ୨୦୧୫-୨୦ ୫ ବର୍ଷ ପାଇଁ ଚତୁର୍ଦ୍ଧଶ ଅର୍ଥ କମିଶନ ଓଡ଼ିଶା ପାଇଁ ୧ ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ସୁପାରିଶ କରିଥିଲା । ୧ ଲକ୍ଷ ୫୭ ହଜାର ୮୨୦ କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ସେଥିରୁ ୨୬ ହଜାର ୩୪୨ କୋଟି ଟଙ୍କା ନିଅଂଟ ରହୁଛି । ଏମଏସଏମଇ କ୍ଷେତ୍ରରେ ନିଆଯାଇଥିôବା ପଦକ୍ଷେପ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ନିଯୁକ୍ତିର ବ୍ୟବସ୍ଥା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।