ମନ୍ତ୍ରୀପଦ ଯାଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

Apr 4, 2022 - 06:26
 66
ମନ୍ତ୍ରୀପଦ ଯାଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏବେ ଆର୍ଥିକ ସହ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଛି । ତେବେ ଏଭଳି ସଙ୍କଟର ସମାଧାନ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଉଦ୍ୟମ କରିଛନ୍ତି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀପଦ ଗ୍ରହଣ କରିବାକୁ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି । ଦେଶର ସଙ୍କଟ ବେଳେ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ପ୍ରକାଶ ଯେ ସଙ୍କଟ ଜର୍ଜରିତ ଶ୍ରୀଲଙ୍କା କ୍ୟାବିନେଟର ସମୂହ ଇସ୍ତଫା । ରବିବାର ମଧ୍ୟରାତ୍ରୀରେ କେନ୍ଦ୍ର କ୍ୟାବିନେଟରୁ ସମସ୍ତ ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦା ରାଜପକ୍ଷ ଦାୟିତ୍ବ ତୁଲାଇବେ । ସମୂହ ଇସ୍ତଫା ପୂର୍ବରୁ ପ୍ରଧାନମନ୍ତ୍ରୀ ମହିନ୍ଦା ଇସ୍ତଫା ଦେବେ ବୋଲି ଜୋରଦାର ଚର୍ଚ୍ଚା ଧରିଥିଲା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ମହିନ୍ଦା ସାକ୍ଷାତ କରିବା ପରେ ପରେ ମନ୍ତ୍ରିମଣ୍ଡଳ ସମୂହ ଇସ୍ତଫା ଦେଇଛି । ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅର୍ଥନୈତିକ ସଂକଟରେ ସଢୁଥିବା ଶ୍ରୀଲଙ୍କାରେ ଅଶାନ୍ତି ଜାରି ରହିଛି । ଗତକାଲି ପେରାଦେନିୟା ବିଶ୍ବବିଦ୍ୟାଳୟ ବାହାରେ ଶହ ଶହ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ସେମାନଙ୍କୁ ଘଉଡାଇବା ଲାଗି ପୋଲିସକୁ ଲୁହବୁହା ଗ୍ୟାସ ଓ ଜଳତୋପ ମାରିବାକୁ ପଡିଥିଲା । ବିରୋଧୀଦଳ ନେତାଙ୍କ ନେତୃତ୍ବରେ ବି ଲୋକମାନେ ଆନ୍ଦୋଳନ କରିବା ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଜାରି ରହିଥିବା ୩୬ ଘଣ୍ଟିଆ କର୍ଫ୍ୟୁର ଅବଧି ଆଜି ସରିଥିବାବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଦମନ କରିବା ଲାଗି ପୋଲିସ ସଜାଗ ରହିଛି ।