ମନୋମୁଖୀ ଜାଇକା କାମକୁ ବିରୋଧ କରି ଅଞ୍ଚଳବାସୀଙ୍କ ବିକ୍ଷୋଭ

May 11, 2018 - 14:42
 170
ମନୋମୁଖୀ ଜାଇକା କାମକୁ ବିରୋଧ କରି ଅଞ୍ଚଳବାସୀଙ୍କ ବିକ୍ଷୋଭ
କଟକ,୧୦ା୫ (ସକାଳଖବର): କଟକରେ ଜାଇକାର ମନମୁଖୀ କାର୍ଯ୍ୟଯୋଗୁଁ ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନ ଧରି ରାସ୍ତାଘାଟ ଖୋଳି ପକାଇଦେବା ହେତୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ ପାଇପ ନଷ୍ଟ କରୁଥିବାଯୋଗୁଁ ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଏ ସଂକ୍ରାନ୍ତରେ ଅଞ୍ଚଳବାସୀ ଜାଇକା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ସହରରେ ଜନଅସନ୍ତୋଷ କୁହୁଳିବାରେ ଲାଗିଛି । କଟକ ମହାନଗର ନିଗମର ୫୦ ଓ ୫୧ ନମ୍ବର ୱାଡର଼୍ର ଅଂଶବିଶେଷ ହୋଇଥିବା ନୂଆପଡ଼ା ଅଞ୍ଚଳରେ ଜାଇକା ଯୋଗୁଁ ଅଞ୍ଚଳବାସୀ ପାନୀୟଜଳ ସମସ୍ୟା ଭୋଗୁଥିବା ଅଭିଯୋଗରେ ଆଜି ଦୀର୍ଘ ସମୟ ଧରି ରାସ୍ତାରୋକ କରିଛନ୍ତି । ପ୍ରକାଶ ଯେ, ଜାଇକା ନୂଆପଡ଼ା ଛକ ଠାରୁ ଗୋଶାଳା ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ସ୍ୱେରେଜ ଓ ଡ୍ରେନେଜ ପାଇପ ବିଛାଇବା ପାଇଁ ରାସ୍ତାଖୋଳିଥିବାବେଳେ ଏଥିରେ ଜନସ୍ୱାସ୍ଥ୍ୟ ବିଭାଗର ପାଣି ପାଇପ ମଧ୍ୟ ଫାଟି ନଷ୍ଟ ହୋଇଯାଇଛି । ଫଳରେ ରାସ୍ତାସାରା ପାଣି ଉବୁଟୁବୁ ହେଉଥିବାବେଳେ ଅଞ୍ଚଳର ହଜାର ହଜାର ଜନସାଧାରଣ ପାଣି ବୁନ୍ଦାଏ ପାଇବା ପାଇଁ ପାଉନାହାନ୍ତି । ବର୍ତ୍ତମାନ ସହରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୁତ ହେଉଥିବାବେଳେ ଏହି ସମୟରେ ପାଣି ଟୋପାଏ ନପାଇବା ଯୋଗୁଁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହ ଜାଇକା କାର୍ଯ୍ୟାଳୟ ଠାରୁ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ଆଜି ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇଥିଲେ । ଏ ସଂକ୍ରାନ୍ତରେ ଜାଇକା ପକ୍ଷରୁ କୁହାଯାଉଛି ଯେ, ‘କାମ ବେଳେ ପାଇପ ଫାଟିଯାଇଛି ସତ କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି ; ସେମାନେ ମରାମତି କରିବେ’ ବୋଲି କହୁଥିବାବେଳେ ଏହାର ମରାମତି ହେଉନାହିଁ । ଅପରପକ୍ଷରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇ ଜାଇକା ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିବା କୁହାଯାଉଛି ।