ମଦ ପିଇବାରେ ଓଡିଶା ପ୍ରଥମ
ଭୁବନେଶ୍ୱର: ଓଡିଶାର ଲୋକମାନେ ଅଧିକ ମାତ୍ରାରେ ମଦ ପିଉଛନ୍ତି । ଏପରିକି ମଦ୍ୟପାନରେ ବଡ ରାଜ୍ୟମାନଙ୍କୁ ଓଡିଶା ପଛରେ ପକାଇ ଦେଇଛି । ଜାତୀୟ ସ୍ତରରେ ୧୮ ପ୍ରତିଶତ ପୁରୁଷ(୧୫ବର୍ଷରୁ ଅଧିକ) ମଧ୍ୟପାନ କରୁଥିବା ବେଳେ ଓଡିଶାରେ ୨୮.୮ ପ୍ରତିଶତ ମଦ ପିଉଛନ୍ତିି । କେବଳ ପୁରୁଷ ନୁହନ୍ତି, ଓଡିଶାର ମହିଳାମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି । କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚ୍ଏସ୍)-୫ ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି ।
(ଏନଏଫଏଚ୍ଏସ୍)-୫ ପାଇଁ, ୬ଲକ୍ଷ ୩୬ହଜାର ୬୯୯ ପରିବାରକୁ ସାମିଲ କରାଯାଇଥିବାବେଳେ ଓଡିଶାରେ ୨୬ହଜାର ୪୭୬ ପରିବାର ଏଥିରେ ସାମିଲ ହୋଇଥିଲେ । ମଦ୍ୟପାନ କ୍ଷେତ୍ରରେ ୧୫ବର୍ଷରୁ ଅଧିକ ବୟସ୍କର ଲୋକଙ୍କଠାରୁ ଘରଘର ବୁଲି ତଥ୍ୟ ସଂଗ୍ରହ କରାଯାଇଥିଲା । ଅରୁଣାଚଳ ପ୍ରଦେଶ ୫୨.୭, ଝାଡଖଣ୍ଡରେ ୩୫, ଛତିଶଗଡ ୩୪.୮, ତାମିଲନାଡୁ ୨୫.୪, ଉତ୍ତରାଖଣଖଣ୍ଡ ୨୫.୫, ପଞ୍ଜାବ ୨୨.୮, ମଧ୍ୟପ୍ରଦେଶ ୧୭.୧, ଉତ୍ତରପ୍ରଦେଶ ୧୪.୬ ଓ ହରିଆଣା ୧୬.୧ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି ।
ସେହିପରି ଜାତୀୟସ୍ତରରେ ୧.୬ ପ୍ରତିଶତ ମହିଳା ମଦ୍ୟପାନ କରୁଥିବାବେଳେ ଓଡିଶାରେ ଏହା ୪.୩ ପ୍ରତିଶତ ରହିଛି । ଓଡିଶାରେ ଉଭୟ ପୁରୁଷ ଓ ମହିଳା ମଦ୍ୟପାନରେ ଜାତୀୟ ହାରକୁ ପଛରେ ପକାଇ ଦେଇଥିବା ସର୍ଭେରୁ ଜଣାପଡିଛି । ରାଜ୍ୟରେ ସହରାଞ୍ଚଳରେ ୨୨.୭ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି । ତେବେ ଏନଏଫଏଚ୍ଏସ-୪ରେ ଏ ସଂପର୍କୀତ କୌଣସି ତଥ୍ୟ ଉପଲବ୍ଧ ନ ଥିବାରୁ ଏନଏଫଏଚ୍ଏସ-୫ରେ ଓଡିଶାରେ ଏହି ସ୍ଥିତିରେ କେଉଁ ପ୍ରକାର ପରିବର୍ତ୍ତନ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।