ଚିଟଫଣ୍ଡ ଓ ଖଣି ସ୍କାମରେ ବୁଡିଛି ରାଜ୍ୟ ସରକାର-ମୋଦୀ

Mar 30, 2019 - 05:24
 201
ଜୟପୁର, ୨୯/୩(ସକାଳଖବର): ଜୟପୁରରେ ଅବିଭକ୍ତ କୋରାପୁଟ ଜିଲାର ବିଜେପି ପ୍ରାର୍ଥିଙ୍କ ନିମନ୍ତେ ଆଜି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜିଲାରେ ଚୈତ୍ର ପରବ ଚାଲିଥିବାରୁ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦି । ଜୟପୁର ବାଙ୍କବିଜା ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରକୁ ବିଭିନ୍ନ ଦିଗରୁ ସମାଲୋଚନା କରିଥିଲେ । ରାଜ୍ୟରେ ବିଜେପିର ନିର୍ବାଚନ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରି ପ୍ରଥମରୁ ହିଁ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କୁ ଯେଉଁଭଳି ଭାବରେ ଆଜି ମୋଦି ସମାଲୋଚନା କରିଛନ୍ତି ତାହା କର୍ମୀଙ୍କୁ ଅଧିକ ଉତ୍ସାହିତ କରିଛି । ପ୍ରଥମେ ଶହିଦ ଲକ୍ଷ୍ମଣ ନାୟଙ୍କ ଫଟୋଚିତ୍ର ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ନିଜ ବକ୍ତବ୍ୟ ରଖିଥିଲେ ମୋଦି । ପଦ୍ମଶ୍ରୀ କମଳା ମଂଚ ଉପରକୁ ଯାଇ ମୋଦିଙ୍କୁ ସମ୍ମାନିତ କରିବା ସହ ଆର୍ଶିବାଦ ଦେଇଥିଲେ । ଏନେଇ ମୋଦି କହିଥିଲେ କମଳା ଆଜି ଆର୍ଶିବାଦ ଦେଇଛନ୍ତି । ତେଣୁ କମଳାଙ୍କ ଆର୍ଶିବାଦ ଆଗାମି ଦିନରେ ପଦ୍ମ ଫୁଟାଇବ ବୋଲି ମୋଦି କହିଥିଲେ । ରାଜଶ୍ରୀ ବିକ୍ରମଦେବ ବର୍ମା, ରାଧାନାଥ ବିଶ୍ୱସରାୟଙ୍କୁ ମଧ୍ୟ ନମସ୍ୟ କରିଥିଲେ ମୋଦି । ବିଶେଷ କରି ରାଜ୍ୟରେ ବର୍ତମାନ ସୁଦ୍ଧା ଚିଟଫଣ୍ଡ କ୍ଷତିଗ୍ରସ୍ତ ଲୋକେ ଟଙ୍କା ପାଇ ପାରି ନଥିବା ବେଳେ ସେମାନଙ୍କ ଟଙ୍କା ଲୁଟ୍ କରିଥିବା ବ୍ୟକ୍ତି ବିଶେଷ ଆଜି ସରକାର ଚଳାଉଛନ୍ତି ।୧୦ ପାଦ ଚାଲିବାକୁ ୧୦ ମିନିଟ ଲାଗୁଥିବା ସରକାର କି ବିକାଶ କରିବ । ଏଠାକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନଥିବା ବେଳେ ଆୟୁଷ୍ମାନ ଭାରତକୁ ସରକାର କାହିଁକି ଗ୍ରହଣ କରୁ ନହାଁନ୍ତି ତାହା ପ୍ରଶ୍ନବାଚୀ । ଏଠାରେ ଶବକୁ ମଧ୍ୟ ସମ୍ମାନ ଦିଆଯାଇ ନାହିଁ । ଯଦି ଦେଶର ଚୈାକିଦାରି ପରି ମୁଁ ଆପଣକୁ ସୁରକ୍ଷିତ ରଖିପାରୁଛି, ତେବେ ରାଜ୍ୟରେ ଆପଣ ମାନେ ଥରେ ମୋତେ ସୁଯୋଗ ଦିଅନ୍ତୁ । ବର୍ତମାନ ସ୍ଥିତିରେ ଡବଲ ଇଞ୍ଜନର ସରକାରର ଅବଶ୍ୟକତା ରହିଛି । ୨୦୧୪ ରେ ଓଡିଶା ଆସିଥିଲି । କହିଥିଲି ସେବା କରିବାରେ କେବେ ବି ହେଳା କରିବି ନାହିଁ । ପ୍ରଥମେ ସେବକ ହିସାବରେ ସେବାରେ ମୁଁ କିଛି କମି କରି ନାହିଁ । ବିଗତ ଦିନରେ ଯେମିତି ସାଥ ଦେଇଛନ୍ତି ସେଥିପାଇଁ ମୁଁ ଓଡିଶା ବାସୀଙ୍କ ନିକଟରେ କୃତଜ୍ଞ ବୋଲି ମୋଦି କହିଥିଲେ । ୮ ଲକ୍ଷ ଗରିବ ପରିବାରକୁ ପକ୍କା ଘର ଯୋଗାଇବା ସହ ୪୦ ଲକ୍ଷ ପରିବାରକୁ ଉଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଇବା, ୩ ହଜାର ଗ୍ରାମରେ ଅନ୍ଧାର ଦୂର କରି ବିଜୁଳି ଯୋଗାଣ ସମ୍ଭବ ହୋଇପାରିଛି । ୨୪ ଲକ୍ଷ ଘରକୁ ମାଗଣାରେ ବିଦୁ୍ୟତ ସଂଯୋଗ ଦିଆଯାଇଛି । ଏସବୁ ଆପଣଙ୍କ ଆର୍ଶିବାଦରୁ ସଫଳ ହୋଇଛି ବୋଲି କହିଥିଲେ ମୋଦି । ଯେଉଁ ସରକାରରେ ନାରି ସୁରକ୍ଷିତ ନୁହଁନ୍ତି ସେହି ସରକାରକୁ ବଦଳାଇବାକୁ ସେ ଆହ୍ୱାନ ଦେଇଥିଲେ । ରାଜ୍ୟରେ ପ୍ରକୃତି ଖଣିଜ ସମ୍ପଦ ଭରପୁର ରହିଥିବା ବେଳେ ଓଡିଶା ଗରିବ ରହିଛି । ଏଠାରେ ପର୍ଯ୍ୟଟନର ବିକାଶ ହୋଇ ପାରିବ ।