ଭିଜିଲାନ୍ସ ଜାଲରେ ତିନି ପୋଲିସ ଅଧିକାରୀ

Jul 27, 2019 - 07:29
 167
ମାଲକାନଗିରି, ୨୬/୭(ସକାଳଖବର): ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମାଲକାନଗିରି ଜିଲ୍ଲା ସଦର ମହକୁମା ଆଦର୍ଶ ଥାନାର ତିନି ଜଣ ପୋଲିସ ଅଧିକାରୀ । ସେମାନେ ହେଲେ ଆଇଆଇସି ରଞ୍ଜନ ସାହୁ, ଏସଆଇ ମାନସ ରଞ୍ଜନ ସ୍ୱାଇଁ ଓ ସୁନିଲ୍ କୁମାର । ଅନ୍ୟପକ୍ଷରେ ଘଟଣାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଇଆଇସି ରଞ୍ଜନ ସାହୁଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ଆର.ପି. ଶର୍ମା । ମାଲକାନଗିରି ଜିଲ୍ଲା ସଦରରେ ଥିବା ମାଲ୍ୟବନ୍ତ କଲେଜ ନାମରେ ହୋଇଥିବା ଏକ ଜାଲ୍ ସାର୍ଟିଫିକେଟ୍ ମାମଲାର ରଫାଦଫା କରିବା ପାଇଁ କଲେଜ କର୍ତୃପକ୍ଷଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଏହି ପୋଲିସ ଅଧିକାରୀମାନଙ୍କୁ ଧରିଥିଲା । ସମ୍ପୃକ୍ତ ତିନି ଅଧିକାରୀଙ୍କୁ ଜୟପୁର ଭିଜିଲାନ୍ସ ଏସପି ଅଫିସରେ ହାଜର କରାଯାଇ ଅଧିକ ପଚରା ଉଚୁରା କରାଯାଉଥିବା ସୂଚନା ମିଳିଛି । କଟକରୁ ଡିଏସପି ପି.କେ. ପଟେଲଙ୍କ ସହ ଏକ ଟିମ୍ ଆସି ଏହି ଚଢ଼ଉ କରିଥିଲେ । ଅଭିଯୋଗ ମୁତାବକ, କେସ୍ ର ଚାର୍ଜସିଟ୍ ରେ କୋହଳ କରିବା ପାଇଁ କଲେଜ ପରିଚାଳକଙ୍କୁ ଆଇଆଇସି ୨ ଲକ୍ଷ ଟଙ୍କା ମାଗିଥିଲେ । ପୂର୍ବରୁ ମଧ୍ୟ ସେ ଏ ବାବଦ ୧ ଲକ୍ଷ ଟଙ୍କା ନେଇ ସାରିଥିଲେ ।