ଜିଲ୍ଲାପାଳଙ୍କ ବିରୋଧରେ ଲୋକାୟୁକ୍ତରେ ମାମଲା
ରାଉରକେଲା,୨୬/୭(ସକାଳଖବର): ରାଉରକେଲା ଠାରେ ଥିବା ଏକ ସରକାରୀ ବାସଗୃହକୁ ପ୍ରାୟ ୭୦ ଲକ୍ଷ ଖର୍ଚ୍ଚ କରାଯାଇ ତା’ର ନବୀକରଣ କରାଯିବା ମାମଲାକୁ ଓଡିଶା ଲୋକାୟୁକ୍ତ ଗ୍ରହଣ କରି ଆସନ୍ତା ଅଗଷ୍ଟ ମାସ ୨୧ ତାରିଖରେ ସମସ୍ତଙ୍କୁ ହାଜର ହେବା ଲାଗି କୁହାଯାଇଛି ବୋଲି ଏ ନେଇ ଅଭିଯୋଗ କରିଥିବା ସୂଚନା କର୍ମୀ ରଶ୍ମି ରଂଜନ ପାଢି କହିଛନ୍ତି ।
ସେ କହିଛନ୍ତି ଏନେଇ ସେ ଲୋକାୟୁକ୍ତଙ୍କ ନିକଟରେ ୧-୭-୧୯ରେ ଅଭିଯୋଗ କରିଥିଲେ । ଆଜି ସେ ଲୋକାୟୁକ୍ତଙ୍କ ଚିଠି ନମ୍ବର ୧୨୪୨ ତା ୧୭-୭-୧୯ ରୁ ଜାଣିବାକୁ ପାଇଲେ ଯେ,ଏ ନେଇ ମାମଲା ରୁଜୁ ହୋଇଛି ଯାହାର ନମ୍ବର ଏଲ ୱାଇ-୧୧୩/୨୦୧୯ । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଆରଡିଏର ଉପାଧ୍ୟକ୍ଷ ଥିବାବେଳେ ସେହି ସରକାରୀ ଘରେ ରହିବା ସହ ତା’ର ଉନ୍ନତି କରଣ ଲାଗି ୭୦ଲକ୍ଷ ଖର୍ଚ୍ଚ କରିଥିଲେ ବୋଲି ଆରଟିଆଇ ତଥ୍ୟରୁ ଜଣାପଡିଥିଲା । ଏପରିକି ମଶାରୀ ଜାଲି ଲାଗି ୪ ଲକ୍ଷ ଖର୍ଚ୍ଚ ହେବା କଥା ଲୋକଲୋଚନ ଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ୫ ମାସ ତଳେ ଏହି ତଥ୍ୟକୁ ନେଇ ଶ୍ରୀ ପାଢୀ ଏକ ସାମ୍ବାଦିକ ସମ୍ମିଲନୀ କରିବାକୁ ଯାଉଥିବା ବେଳେ ତାଙ୍କୁ ପ୍ରଶାସନ ବିରୋଧ ମଧ୍ୟ କରିଥିଲା । ପରେ ଭୁବନେଶ୍ୱରରୁ ଏହାକୁ ମିଡ଼ିଆ ମାଧ୍ୟମରେ ପ୍ରକାଶ କରାଜିବା ପରେ, ସରକାରଙ୍କ ଦୃଷ୍ଟିକୁ ଏହା ଆସିବା ସହ ଜିଲ୍ଲାପାଳଙ୍କୁ ଏଠାରୁ ବଦଳି କରାଗଲା । ମାତ୍ର ଶ୍ରୀ ପାଢୀ ଲୋକାୟୁକ୍ତଙ୍କ ନିକଟରେ ପ୍ରଶ୍ନ ଉଠାଇଛନ୍ତି ଯେ, ରଶ୍ମିତା ପଣ୍ଡା ସିନା ଉପଧ୍ୟକ୍ଷା ଥିଲେ, ମାତ୍ର ସେ ସମୟରେ ବର୍ତମାନର ବିଧାୟକ ସାରଦା ନାୟକ ଆରଡିଏର ଅଧ୍ୟକ୍ଷ ଥିଲେ । ତା ଛଡା ସେ ସମୟର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ବର୍ତମାନ ଏକ ଜିଲ୍ଲାର ଜିଲ୍ଲାପାଳ ଥିବା ମନିଶା ବାର୍ନାଜୀ ସେତେ ବେଳେ ଆରଡିଏର ସଚିବ ଭାବେ କାର୍ଯ୍ୟରତ ଥିଲେ । ଏତେ ପରିଣାର ସରକାରୀ ଅର୍ଥ ଏକ ଘରେ ଖର୍ଚ୍ଚ ହେବା ନେଇ ସେମାନଙ୍କ ଭୂମିକା କ’ଣ ଥିଲା ସେ ନେଇ ଏହି ମାମଲାରେ ପ୍ରଶ୍ନ ଉଠାଯାଇଛି । ତେବେ ଏହି ୩ ଜଣ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ କି ଉତର ରଖୁଛନ୍ତି ତାହା ତ ସମୟ କହିବ, ବର୍ତମାନ ସେ ଘରୁ ବିଜୁଳି କାଟି ଦିଆଯାଇଥିବା ବେଳେ, ତାଲା ପକାଇ ଜଣେ ସିକୁ୍ୟରିଟି ଜଗୁଛି । କେତେକ ଗଣମାଧ୍ୟମ ପ୍ରତିନିଧି ସେ ଘରକୁ ଦେଖିବା ଲାଗି ଚାହିଁଥିଲେ ବି ସେ ସୁଯୋଗ ଦିଆଗଲା ନାହିଁ । ଏତ ଗଲା ସରକାରୀ ଅର୍ଥ କଥା, ମାତ୍ର ତା ପୂର୍ବରୁ ଥିବା ଜିଲ୍ଲାପାଳ କୁଆଡେ ଏକ ଖଣି କମ୍ପାନୀର ସହାୟତାରେ ଜିଲ୍ଲାପାଳଙ୍କ ସୁନ୍ଦରଗଡ ବାସଭବନରେ ୬୫ ଲକ୍ଷ ଖର୍ଚ୍ଚ କରାଇ ତାକୁ ହିଲ୍ ଷ୍ଟେସନ ର ବଂଗଳା କରି ଦେଇଥିବା ଖବର ଆଲୋଚନା ଚାଲିଥିଲେ ବି ସରକାର ଚୁପ୍ । କାରଣ ସରକାରଙ୍କ କୌଣସି ଅର୍ଥ ଏଠି ଖର୍ଚ୍ଚ ହୋଇ ନଥିବା ବେଳେ, ସେ ଖଣି ବାବୁ କ’ଣ ଏମିତି ସାହାଯ୍ୟ ପାଇଲେ ଯେ, ଏତେ ଅର୍ଥ ଏ ବଙ୍ଗଳରେ ଖର୍ଚ୍ଚ କଲେ ତା’ର ବିଧିବଦ୍ଧ ତଦନ୍ତ ନିମନ୍ତେ ସାଧାରଣରେ ଦାବୀ ହେଉଛି ।