ଭଙ୍ଗିଲା ତେଲଙ୍ଗାନା ବିଧାନସଭା

Sep 6, 2018 - 09:09
 227
ଭଙ୍ଗିଲା ତେଲଙ୍ଗାନା ବିଧାନସଭା
ହାଇଦ୍ରାବାଦ,୫ା୯(ସକାଳଖବର):ରାଜନୈତିକ ଘଟଣାକ୍ରମରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର) ଗୁରୁବାର ଇସ୍ତଫା ପ୍ରଦାନ କରିଛନ୍ତି ଓ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି କେ ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି। ତେଲେଙ୍ଗାନା ବିଧାନସଭାର କାର୍ୟ୍ୟକାଳ ପୂରିବାକୁ ଆହୁରି ୯ ମାସ ବାକି ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଶକର ରାଓ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରି ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ରାସ୍ତା ପରିଷ୍କାର କରିଛନ୍ତି। କେସିଆର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିବା ସହିତ ବିଧାନସଭା ଭଙ୍ଗ କରିବାକୁ ସୁପାରିସ କରିଛନ୍ତି । ରାଜ୍ୟପାଳ ତାଙ୍କ ସୁପାରିଶକୁ ମଞ୍ଜୁର ପ୍ରଦାନ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକ ଡକାଇ ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟପାଳ ଇଏସଏଲ ନରସିଂହନ କ୍ୟାବିନେଟ ସୁପାରିଶକୁ ମଞ୍ଜୁର ପ୍ରଦାନ ଫଳରେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ତଥା ନଭେମ୍ବର-ଡିସେମ୍ବରରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହୋଇ ପାରିବ। ଆଜି ଅପରାହ୍ଣରେ କେସିଆର ସାମ୍ବାଦିକ ସମ୍ମିଳନୀର ଡାକରା ଦେଇଛନ୍ତି। ଏହି ସମ୍ମିଳନୀରେ କେସିଆର ବିଧାନସଭା ଭାଙ୍ଗିବା ସମ୍ପର୍କରେ ଘୋଷଣା କରିବାର ଅନୁମାନ କରାଯାଉଛି। କେସିଆରଙ୍କ ଏଭଳି ନିଷ୍ପତ୍ତି ପ୍ରଚ୍ଛଦରେ ପ୍ରମୁଖ ୨ଟି କାରଣକୁ ଗୁରୁତ୍ୱ ଦିଆଯାଉଛି। ଅଚାନକ ବିଧାନସଭା ଭଙ୍ଗ କରି ବିରୋଧୀଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ କରିବାର ରଣନୀତି ପ୍ରସ୍ତୁତ କରିଛନ୍ତି କେସିଆର। ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ହୋଇଗଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କେସିଆର ପୁନର୍ବାର ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି।