ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ସ୍ତବ୍ଧ ପଶ୍ଚିମ ଓଡ଼ିଶା, ଅପରାହ୍ନରେ ପୈତୃକ ଗାଁରେ ହେବ ଅନ୍ତିମ ସତ୍କାର

Dec 31, 2021 - 05:19
 56
ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ସ୍ତବ୍ଧ ପଶ୍ଚିମ ଓଡ଼ିଶା, ଅପରାହ୍ନରେ ପୈତୃକ ଗାଁରେ ହେବ ଅନ୍ତିମ ସତ୍କାର
ଝାରସୁଗୁଡା ୩୧/୧୨: ଆଉ ନାହାନ୍ତି କିଶୋର ମହାନ୍ତି । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ସଂଧ୍ୟାରେ ସେ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୩ ବର୍ଷ ବୟସରେ ହୃଦଘାତର ଶିକାର ହୋଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କିଶୋରଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ସାରା ପଶ୍ଚିମ ଓଡ଼ିଶା । କିଶୋର ମହାନ୍ତିଙ୍କ ବିୟୋଗରେ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ପୂର୍ବତନ ବାଚସ୍ପତି ତଥା ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ବିଷୟ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି । କିଶୋର ମହାନ୍ତି ଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଂଚି ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ,ସଂସ୍କୃତି ମନ୍ତ୍ରୀ ଅଶୋକପଣ୍ଡା, ସାଂସଦ ସୁରେଶ ପୂଜାରୀ ଙ୍କ ସହ ଜିଲ୍ଲାପାଳ, ଏସପି ଓ ଅନ୍ୟ ରାଜନୈତିକ ବ୍ୟକ୍ତି, ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ସକାଳୁ କିଶୋରଙ୍କ ପାର୍ଥିବ ଶରୀର ବ୍ରଜରାଜନଗର ବିଜେଡି କାର୍ଯ୍ୟାଳୟ, ଝାରସୁଗୁଡା ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ କୁ ନିଆଯିବା ପରେ ସାଧାରଣ ଜନତାଙ୍କ ଦର୍ଶନ ପାଇଁ ପୌର ପରିଷଦ ଅଡିଟୋରୀୟମରେ ରଖାଯିବ।