ବୌଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

Feb 18, 2019 - 17:40
 179
ବୌଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
ବୌଦ୍ଧ, ୧୮/୨(ସକାଳଖବର): ନୂତନ ଓଡିଶା ଗଠନ ଉଦେ୍ଧଶ୍ୟରେ ରାଜ୍ୟର ମହିଳା ଶକ୍ତି ଓ ଯୁବ ଶକ୍ତିକୁ ସ୍ୱାବଲମ୍ବୀ କରାଯାଉଛି ବୋଲି ବୌଦ୍ଧ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ସରକାରୀ ଗସ୍ତରେ ଆସି ଦୁଇଟି ସାଧାରଣ ସଭାରେ ଯୋଗଦେବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ କଂଟାମାଳ ନିର୍ବାଚନ ମଣ୍ଡଳୀର ଘଂଟାପଡା ଠାରେ ପହଂଚି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ରାଜ୍ୟର କାଳିଆ ଯୋଜନାକୁ ଦେଶ ପାଇଁ ଏକ ରୋଲ ମଡେଲ ବୋଲି କହିବା ସହିତ ରାଜ୍ୟର ସମସ୍ତ ଚାଷୀ ଏଥିରେ ଉପକୃତ ହେବେ ବୋଲି କହିଥିଲେ । ଘଂଟାପଡା ଠାରେ ଆୟୋଜିତ ସଭାରେ ବିଧାୟକ ମହୀଧର ରଣା ବିଜେଡି ସରକାର ସମୟରେ କଂଟାମାଳ ଅଂଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କନ୍ଧମାଳ ସାଂସଦ ପ୍ରତୁ୍ୟଷାରାଜେଶ୍ୱରୀ ସିଂ ମଧ୍ୟ ସଭାକୁ ସମ୍ବୋଧିତ କରିଥିଲେ । ବୌଦ୍ଧ କଚେରୀ ପଡିଆଠାରେ ଆୟୋଜିତ ଏହି ବିରାଟ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ସହିତ ଚାଷୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି । ଜିଲ୍ଲାର ଜଣେ ହେଲେ ଚାଷୀ ଏହି ଯୋଜନାରୁ ଯେପରି ବଂଚିତ ହେବନାହିଁ ସେଥିପ୍ରତି ସରକାର ପଦକ୍ଷେପ ନେଇଛନ୍ତି । ତେବେ କେନ୍ଦ୍ର ସରକାର ତାଙ୍କ ଯୋଜନାରେ ରାଜ୍ୟର ଛୋଟ ଚାଷୀମାନଙ୍କୁ ଅଣଦେଖା କରିଥିବାରୁ ଏ ସଂପର୍କରେ କେନ୍ଦ୍ରକୁ ଅବଗତ କରାଯିବା ସହିତ ରାଜ୍ୟର ଚାଷୀମାନଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଏହି ସରକାରୀ ଗସ୍ତରେ ୩୫.୩୭ କୋଟି ଟଙ୍କାର ଟିକରପଡା ଠାରେ ପାର୍ବତୀଗିରି ବୃହତ ଜଳସେଚନ ପ୍ରକଳ୍ପ, ୭୯.୬୬ କୋଟି ଟଙ୍କା ମୂଲ୍ୟର ୯ ଗୋଟି ରାସ୍ତା ପ୍ରକଳ୍ପ, ୩୦.୮୦ କୋଟିର ୮ ଗୋଟି ସେତୁ ପ୍ରକଳ୍ପ, ୧୬.୨୬ କୋଟି ଟଙ୍କା ମୂଲ୍ୟର ୧୬ ଟି ଛାତ୍ରାବାସ ଓ ଛାତ୍ରୀନିବାସ, ୦.୭୫ କୋଟି ଟଙ୍କା ମୂଲ୍ୟର ସୁଉଚ୍ଚ ପାଣିଟାଙ୍କି, ୧୨.୬୫ କୋଟି ଟଙ୍କା ମୂଲ୍ୟର ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାର, ୦.୮୧ ଟଙ୍କା ମୂଲ୍ୟର ଷ୍ଟାଡିୟମ ଦର୍ଶକଗ୍ୟାଲେରୀ, ୧୫.୬୧୭ କୋଟି ଟଙ୍କା ମୂଲ୍ୟର ଅନ୍ୟାନ୍ୟ ୫୫ କୋଟି ପ୍ରକଳ୍ପର ଉଦଘାଟନ କରିଥିଲେ । ସେହିପରି ୪୯୮.୪୨ ଟଙ୍କାର ବୌଦ୍ଧ ଓ କଂଟାମାଳ ବ୍ଲକରେ ଉଠାଜଳସେଚନ ପ୍ରକଳ୍ପ,୧୫୯.୪୦ କୋଟି ଟଙ୍କା ମୂଲ୍ୟର ୧୧ ଟି ରାସ୍ତା ପ୍ରକଳ୍ପ, ୮୯.୬୯ କୋଟି ମୂଲ୍ୟର ୭ଟି ସେତୁ ପ୍ରକଳ୍ପ, ୩ କୋଟି ଟଙ୍କାର ଗୋଟିଏ ଛାତ୍ରୀନିବାସ, ୨୭.୨୯ କୋଟି ଟଙ୍କା ମୂଲ୍ୟର ଅନ୍ୟାନ୍ୟ ୧୭ ଗୋଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ବୌଦ୍ଧଜିଲ୍ଲା ପାଇଁ ସମୁଦାୟ ୯୭୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।