ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

Aug 23, 2019 - 17:39
 123
ଭୁବନେଶ୍ୱର,୨୩/୮(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ପାଇଁ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ପୁରୀରେ ଭିତିଭୂମିର ବିକାଶ , ନୂଆ ବହୁ ଥାକିଆ ରାସ୍ତା , ସେତୁ , ପାର୍କିଂସୁବିଧା , ମୂଷା ନଦୀର ପୁନରୁଦ୍ଧାର , ସୁରକ୍ଷା ଜୋନ୍ ରେ ଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ , ମଠ ଓ ତୀର୍ଥ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି । ଶୁକ୍ରବାର ଲୋକସେବା ଭବନ ଠାରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀର ଥଇଥାନ ଓ ସୁରକ୍ଷା ନେଇ ସମୀକ୍ଷା କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନକ୍ସା ଦେଖାଇ ପୁରୀର ପରିବର୍ତିତ ଚିତ୍ର ଦେଖାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତମାନ ବିଶ୍ୱରେ ଆତଙ୍କବାଦ କାର୍ଯ୍ୟକଳାପ ବଡ ସମସ୍ୟା ହୋଇଛି ।ତେଣୁ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଛି ।ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଥିବା ପାଚେରୀ ଠାରୁ ୭୫ ମିଟର ଅଂଚଳକୁ ସେୁରକ୍ଷା ଜୋନ୍ କରାଯାଇଛି । ଏହି ଜୋନ୍ ମଧ୍ୟରେ ଯେତେ ସବୁ ବ୍ୟକ୍ତିଙ୍କ ଘର , ଦୋକାନ , ମଠ ରହିଛି ତାହାକୁ ଉଚ୍ଛେଦ କରାଯିବ । କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ସମ୍ପୃକ୍ତ ଘର , ଦୋକାନ ମାଲିକ ମାନଙ୍କୁ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୁରୀ ବାସୀଙ୍କୁ ବଳିଦାନ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଓଡିଆ ଜାତିର ଆତ୍ମା ହେଉଛନ୍ତି ପ୍ରଭୂ ଜଗନ୍ନାଥ । କେହି ତାଙ୍କୁ ଅଲଗା କରିପାରିନାହିଁ କି କରିପାରିବ ନାହିଁ । ବିଶ୍ୱର ମହାନ୍ତିଙ୍କ ତ୍ୟାଗ ଏହି ଜାତି କେବେ ଭୁଲି ନାହିଁ କି ଭୁଲି ପାରିବ ନାହିଁ । ଓଡିଆ ଜାତିର ସଂସ୍କୃତି ଓ ପରମ୍ପରା ମହାପ୍ରଭୂଙ୍କୁ କେନ୍ଦ୍ର କରି ଗଢି ଉଠିଛି । ବିଭିନ୍ନ ଧର୍ମାନୁଷ୍ଠାନକୁ ଆତଙ୍କ ବାଦୀମାନେ ଟୋର୍ଗଟ୍ କରୁଛନ୍ତି । ତେଣୁ ଶ୍ରୀମନ୍ଦିରର ନିରାପତା ପାଇଁ ଆସିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ କଥା ଦେଉଛି ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ରେ ଯେଉଁମାନଙ୍କ ଘର ଓ ଦୋକାନ ଯିବ ସେମାନଙ୍କୁ ଥଇଥାନ କରାଯିବ । ଭଙ୍ଗାଯାଇଥିବା ମଠ ପୁଣି ଥରେ ଗଢିବାରେ ରାଜ୍ୟ ସରକାର ସହଯୋଗ କରିବେ । ଅବଢା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛନ୍ତିି ।