ବୋଲବମ୍ ଯାତ୍ରାରେ ଅଘଟଣ

Aug 13, 2018 - 11:35
 172
ବୋଲବମ୍ ଯାତ୍ରାରେ ଅଘଟଣ
ଭୁବନେଶ୍ୱର,୧୩/୮ (ସକାଳଖବର): ସୋମବାର ରାଜ୍ୟରେ ବୋଲବମ୍ ଯାତ୍ରା ବେଳେ ପ୍ରାୟ ୭ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସଙ୍କୁ ଜଳଲାଗି କରିବାକୁ ଛତିଶଗଡ ଭିଲାଇରୁ ଗୋଟିଏ ପରିବାରର ୭ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ଝାରସୁଗୁଡାରେ ଟ୍ରେନରୁ ଓହ୍ଲାଇ ପୁଣି ଏକ ଟ୍ରେନରେ ଆସି ପାନପୋଷ ଷ୍ଟେସନରେ ପହଞ୍ଚିଲା ପରେ ଗତକାଲି ବିଳମ୍ବିତ ରାତିରେ ଟ୍ରେନ୍ ଲାଇନ ଉପରେ ବ୍ରାହ୍ମଣୀ ନଦୀ ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ମୁମ୍ବାଇ ମେଲ୍ ଏକ୍ସପ୍ରେସ ଟ୍ରେନଟି ମାଡି ଯାଇଥିଲା। ଫଳରେ ୪ ଜଣ ଟ୍ରେନରେ କଟି ବ୍ରାହ୍ମଣୀ ନଦୀକୁ ଖସି ପଡିଥିଲେ ଓ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେହିପରି ଜଗତସିଂହପୁର ତିର୍ତୋଲ ଝୁଲାବାବା ମଠ ନିକଟରେ ମହାନଦୀରୁ ପାଣି ଉଠାଇବା ସମୟରେ ଦୁଇଜଣ କାଉଡିଆ ଭାସି ଯାଇଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇ ଥିବା ବେଳେ ଏପର୍ୟ୍ୟନ୍ତ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଭୁବନେଶ୍ବର କୁଆଖାଇ ବ୍ରିଜ୍ରେ ବାଇକ୍ ଧକ୍କାରେ ଜଣେ କାଉଡିଆଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ପାହାଚରୁ ଖସି ପଡି ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତକାଲି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଓଲଟି ପଡିବାରୁ ସେଥିରେ ଯାତ୍ରା କରୁଥିବା ୪ ଜଣ କାଉଡିଆ ଆହତ ହୋଇଥିଲେ । କିଛି ଦିନ ପୂର୍ବରୁ ବୌଦ୍ଧ ଜିଲାରେ ଅନ୍ତର୍ଗତ ୭ ନମ୍ବର ଜାତୀୟ ରାଜପଥରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ଫଳରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଥିଲା।