ବିଶ୍ବ ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଡାକରା
ଭୁବନେଶ୍ବର: ବିଶ୍ୱରେ ରହୁଥିବା ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ ସାରା ପୃଥିବୀରେ ବିଭିନ୍ନ ଦେଶରେ ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡିଆ ଏକମନ, ଏକପ୍ରାଣ ଓ ଏକନିଷ୍ଠ ହୋଇ ଓଡିଶାର ସର୍ବମଙ୍ଗଳ ପାଇଁ ତନ, ମନ, ଧନ ଅର୍ପଣ କରିବାକୁ ୱାଓସୋ ଡାକରା ଦେଇଛି। ୱାର୍ଲଡ୍ ଓଡିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଅବସରରେ ଆଭାସୀ ମଞ୍ଚରେ ଆୟୋଜିତ ‘ଉତ୍କଳ ଉତ୍ସବ’ରେ ଯୋଗଦେଇ ଅଷ୍ଟ୍ରେଲିଆଠାରୁଆମେରିକା ଏବଂ ୟୁ.ଏ.ଇଠାରୁୟୁରୋପ ପର୍ଯ୍ୟନ୍ତ ରାଷ୍ଟ୍ରମାନଙ୍କର ଶତାଧିକ ତୁଙ୍ଗ ପ୍ରବାସୀ ଓଡ଼ିଆ ନେତା ୨୦୩୬ ମସିହାରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କରିବା ବେଳେ ଏକ ସର୍ଵସମ୍ପନ୍ନ, ସମୃଦ୍ଧ ନୂତନ ଓଡ଼ିଶା ଗଢି ତୋଳିବା ପାଇଁ ବଜ୍ର ହୁଙ୍କାର ଦେଇଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓଡିଶାର କଳା, ରସ, ଛନ୍ଦ ଓ ଗାରିମା ଅନନ୍ୟ ଓ ମହାନ ବୋଲି ସୂଚାଇଥିଲେ। ନବ ଉତ୍କଳ ଗଠନ ପାଇଁ ୱାର୍ଲଡ୍ ଓଡିଶା ସୋସାଇଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ ଆଶାପ୍ରକଟ କରିଥିଲେ। ବିଶିଷ୍ଟ ଅତିଥି ଜର୍ମାନୀରେ ଅବସ୍ଥାପିତ ସୁନାମଧନ୍ୟ ଲେଖକ ରାଜେନ୍ଦ୍ର ନାରାୟଣ ଦାସ ଓଡ଼ିଶାରେ ରହିଥିବା ସାମ୍ପ୍ରତିକ ଶିକ୍ଷା, ସ୍ବାସ୍ଥ୍ୟ ଓ ସଂସ୍କୃତିଗତ ସମସ୍ୟା ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ। ୨୫ ବର୍ଷରେ ଥରେ ସଭ୍ୟତା ବଦଳୁ ଥିବାରୁ ଯୁଗ ସହିତ ତାଳ ମିଳାଇ ଆଗେଇ ଚାଲିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ କୋଲକତା ସ୍ଥିତ ସତ୍ୟଜିତ ରାୟ ସିନେମା ଓ ଟିଭି ସଂସ୍ଥାନର ନିର୍ଦ୍ଦେଶକ ହିମାଂଶୁ ଖଟ୍ଟୁଆ ମହାପ୍ରଭୁ ଜଗନ୍ନାଥଙ୍କର ଦୟାରୁ ସାରା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ୱାଓସୋ ଜରିଆରେ ଜାଣିବାର ସୁଯୋଗ ଉପଲବ୍ଧି ହୋଇ ପାରିଥିଵା ନେଇ ଆନନ୍ଦ ପ୍ରକାଶ କରିଥିଲେ। ବରେଣ୍ୟ ଅତିଥି ରାଷ୍ଟ୍ରପତିଙ୍କର ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକ ଦେଶର ସର୍ବପ୍ରଥମ ପତ୍ରିକା ସାଧୁସୁନ୍ଦର ଦାସଙ୍କର କୁଜିବର ପତ୍ର ଓଡ଼ିଶାରୁ ପ୍ରକାଶ ପାଇଥିଲା ବୋଲି ଦର୍ଶାଇ ନିଜର ଅସ୍ମିତାକୁ ନେଇ ଗର୍ବ ଅନୁଭବ କରିବାକୁ ଉପଦେଶ ଦେଇଥିଲେ। ସମ୍ମାନସ୍ପଦ ଅତିଥି ଭୁବନେଶ୍ବରର ମେୟର ସୁଲୋଚନା ଦାସ ରାଜ୍ୟର ରାଜଧାନୀକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ପ୍ରବାସୀ ଓଡ଼ିଆମାନଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ।