ବିଜେପିକୁ ଅଟକାଇବା ପାଇଁ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହୋଇପାରେ ଭିତିରିଆ ବୁଝାମଣା : ଜୁଏଲ

May 22, 2018 - 16:02
 157
ବିଜେପିକୁ ଅଟକାଇବା ପାଇଁ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହୋଇପାରେ ଭିତିରିଆ ବୁଝାମଣା : ଜୁଏଲ
ଭୁବନେଶ୍ୱର, ୨୨/୫( ସକାଳକବର) : ବିଜେପିକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ । ପଟ୍ଟନାୟକ ବ୍ରଦର୍ସ ଗୋପନ ବୁଝାମଣା କରି ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଯୋଜନା କରିବେ । ତେବେ ବିଜେପି ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଦଳ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜୁଏଲ ଓରାମ୍ କହିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୁଏଲ କହିଲେଯେ, କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଓ ଜେଡ଼ିଏସ ମେଂଟ କରିବାକୁ ବାଧ୍ୟ ହୋଇଛନ୍ତି । ଅନରୂପ ପରିସ୍ଥିତି ମଧ୍ୟ ଓଡ଼ିଶାରେ ସୃଷ୍ଟି ହେବାର ଆଶଙ୍କା ରହିଛି । ବିଜେପୁର ଉପନିର୍ବାଚନ ବେଳେ ବିଜେଡ଼ି ନିକଟରେ କଂଗ୍ରେସ ବିକ୍ରି ହୋଇ ଯାଇଥିଲା । ମୋଦିଙ୍କ ଲୋକପ୍ରିୟତା ବଢ଼ୁଥିବାବେଳେ ଓଡ଼ିଶାରେ ମଧ୍ୟ ଦୁଇ ଦଳ ଭିତରେ ଭିତିରିଆ ବୁଝାମଣା ହେବାର ସମ୍ଭାବନା ରହିଛି । ସେ କହିଲେଯେ, ୨୦୦୯ରେ ବିଜେଡ଼ି ଓ ବିଜେପି ମେଂଟ ଭାଙ୍ଗିଥିଲା । ତେବେ ସେତେବେଳେ କେନ୍ଦ୍ର ସରକାର ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରିନଥିଲେ । ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ ଏଭଳି ପଦକ୍ଷେପ ନନେବା ପଛରେ ଅଭିସନ୍ଧି ରହିଥିଲା । ସେହିପରି ସାମ୍ ପିଟ୍ରୋଡ଼ାଙ୍କୁ ନବୀନବାବୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରିଥିଲେ । ଏବେ ପିଟ୍ରୋଡ଼ା ରାହୁଲ ଗାନ୍ଧୀଙ୍କ ଟିମକୁ ପୁଣି ଫେରିଯାଇଛନ୍ତି । ସେହିପରି ସୌମ୍ୟରଂଜନ ବାବୁ ମଧ୍ୟ ବିଜେଡ଼ିରେ ମିଶିଛନ୍ତି । କଂଗ୍ରେସ ସହ ତାଙ୍କର କ’ଣ ସମ୍ପର୍କ ସମସ୍ତେ ଜାଣନ୍ତି । ତେଣୁ ସେ ମଧ୍ୟ ସେତୁ ଭାବେ କାର୍ଯ୍ୟ କରିବେ । ଏହାଛଡ଼ା ନବୀନ ପଟ୍ଟନାୟକ ଓ ସୋନିଆ ଗାନ୍ଧୀ ମଧ୍ୟ ପୂର୍ବରୁ ଏକ ଏକାଡେ଼ମୀରେ ଦୀର୍ଘଦିନ ଧରି ଏକାଠି କାର୍ଯ୍ୟ କରୁଥିଲେ । ଖାଲି ସେତିକି ନୁହେଁ ଅତୀତରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ କଂଗ୍ରେସ ସହ ବୁଝାମଣା ନେଇ ଇଙ୍ଗିତ କରିଥିଲେ । ଉଭୟ କଂଗ୍ରେସ ଓ ବିଜେଡ଼ି ଖଣି ଦୁର୍ନୀତି ଓ ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିଲେ । ତେଣୁ ଦୁଇ ପଟ୍ଟନାୟକ ବ୍ରଦର୍ସ ଗୋପନ ବୁଝାମଣା କରିବାର ସମ୍ଭାବନା ରହିଥିବା ଓଡ଼ିଶାବାସୀ ଜାଣିବା ଦରକାର ବୋଲି ଜୁଏଲ କହିଛନ୍ତି ।