ବିଜେପି ସରକାରର ଶପଥ ଉତ୍ସବରେ ନବୀନ ବାବୁଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କ ପାଖରେ ବସାଯିବ - ଧର୍ମେନ୍ଦ୍ର

Apr 26, 2019 - 06:24
 138
ବାଲେଶ୍ୱର,୨୫/୪(ସକାଳଖବର): ରାଜ୍ୟରେ ବିଜେପି ସରକାରର ଶପଥ ଉତ୍ସବରେ ନବୀନ ବାବୁଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ବସାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ସରକାର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମନ୍ତ୍ରଣ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ବିଜେପି ନୂଆ ସରକାର କରିବ ଓ ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବା ପାଇଁ ଆସିବେ । ଏହି ଉତ୍ସବରେ ନବୀନ ବାବୁଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ଆଦରର ସହକାରେ ନିମନ୍ତ୍ରଣ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖରେ ତାଙ୍କୁ ବସାଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଛ ତଥ୍ୟର ସୌଦାଗର । ରାଜ୍ୟ ସରକାର ନିଜ ଅପାରଗତାକୁ ଲୁଚାଇବା ପାଇଁ ମିଛ କହୁଛନ୍ତି । ବାରିପଦା ଓ ବାଲେଶ୍ୱରରେ ମେଡିକାଲ କଲେଜ କେନ୍ଦ୍ର ସରକାରଙ୍କ ୬୦ ଭାଗ ଅନୁଦାନରେ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ନିଜେ ଏହି ମେଡିକାଲ କଲେଜକୁ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜର ଅପାରଗତା କାରଣରୁ ୧୯ ବର୍ଷ ଶାସନ ରହିବା ପରେ ମଧ୍ୟ ଲୋକଙ୍କ ପାଇଁ ମୌଳିକ ସୁବିଧା ଉପଲବ୍ଧ କରିପାରିନାହାନ୍ତି । ଓଡିଶାର ଲୋକମାନେ ଏକଥା ପଚାରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୁହଁ ଲୁଚାଇବା ପାଇଁ ବାଉଳିଚାଉଳି ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଦବୁଦ୍ଧି ଦିଆଯାଉ ବୋଲି ସେ କହିଛନ୍ତି । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଲହର ବୋହୁଥିବା ବେଳେ ଓଡିଆ ଲୋକମାନେ ଏଥର ପରିବର୍ତନ ଚାହୁଁଛନ୍ତି । କିଏ ବିଶ୍ୱାସୀ ନେତା ତାହା ଓଡିଆ ଲୋକମାନେ ବିଚାର କରିବେ । ଓଡିଆ ଲୋକମାନେ ଏଥର ମୋଦିଙ୍କ ଉପରେ ଭରସା କରିବା ପାଇଁ ମନ ବନାଇଛନ୍ତି । ଶେଷ ହୋଇଥିବା ତିନୋଟି ଚରଣ ନିର୍ବାଚନରେ ବିଜେପିକୁ ଅଭୁତପୂର୍ବ ଜନସମର୍ଥମନ ମିଳିଛି । ପ୍ରଧାନମନ୍ତ୍ରୀ ଖୋଦ ଓଡିଶାକୁ ଆସି ଓଡିଆ ଲୋକଙ୍କୁ ୫ ବର୍ଷ ପାଇଁ ବିଜେପିକୁ ଭରସା କଲେ ଓଡିଶାକୁ ୧ ନମ୍ବର କରାଯିବ ବୋଲି କହିଛନ୍ତି । ସାଢେ ୪ କୋଟି ଓଡିଆ ଲୋକ ଏଥର ନରେନ୍ଦ୍ର ମୋଦିଙ୍କୁ ଆଶୀର୍ବାଦ କରିବେ । ଏହାବ୍ୟତିତ ବାଲେଶ୍ୱର ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭାରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।