ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନ
ପୁରୀ, ୩/୨(ସକାଳଖବର): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନର ଦ୍ୱିତୀୟ ଦିନରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେଇ ତାଳବଣିଆ ହେଲିପ୍ୟାଡ୍ ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଓଡ଼ିଶାର ଶାସନ କ୍ଷମତାରେ ଥିବା ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । କେନ୍ଦ୍ର ଦେଉଥିବା ଆର୍ଥିକ ଅନୁଦାନ ରାଜ୍ୟ ସରକାର ଖର୍ଚ୍ଚ କରିନପାରି କେନ୍ଦ୍ରକୁ ଅଯଥା ଦୋଷ ଦେଉଛି । ଆଗାମୀ ନିର୍ବାଚନରେ ନବୀନ ସରକାରକୁ ଜନତା ପ୍ରତ୍ୟାଖ୍ୟାନ କରି ଜନଜାତି କଲ୍ୟାଣ ପାଇଁ କାମ କରୁଥିବା ମୋଦି ସରକାରଙ୍କୁ ଆପଣେଇବାକୁ ସେ ଆହ୍ୱାନ ଦେଇଥିଲେ । ଫିର୍ ଏକବାର୍ ମୋଦି ସରକାର ଆସିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । କେନ୍ଦ୍ର ପଠାଉଥିବା ଆର୍ଥିକ ଅନୁଦାନ ତଥା କେନ୍ଦ୍ରୀୟ ସୁବିଧା ପାଇବାରୁ ରାଜ୍ୟର ଜନସାଧାରଣ ବଂଚିତ ହେଉଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ନବୀନ ସରକାର ଅନୁଦାନ ରାଶି ଖର୍ଚ୍ଚ କରିପାରୁନାହାଁନ୍ତି । ଓଡିଆ ଲୋକଙ୍କ ହୃଦୟ ଓ ଓଡିଆ ଜାଣିନଥିବା ଜନପ୍ରତିନିଧି ୧୯ବର୍ଷ ଧରି ଅଫିସରଙ୍କ ଜରିଆରେ ରାଜୁତି କରିଆସୁଛନ୍ତି । ଜଗନ୍ନାଥ ହେଉଛନ୍ତି ଆଦିବାସୀଙ୍କ ଠାକୁର । ନୀଳମାଧବଙ୍କୁ ଶବର ବିଶ୍ୱାବସୁ ପୂଜା କରୁଥିଲେ । ଗରିବଙ୍କ ଦେବତା ଜଗନ୍ନାଥ । ଜନଜାତି ଲୋକମାନେ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରି ବିଜେପି ସରକାର ଗଠନ ପାଇଁ ଶ୍ରୀ ଶାହା ଆହ୍ୱାନ ଦେଇଥିଲେ ।
ଆହୁରି ମଧ୍ୟ ସେ କହିଥିଲେ ଯେ, ମୋଦି ସରକାର ଜନଜାତିଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଅଟଳଜୀଙ୍କ ସମୟରେ ସ୍ୱତନ୍ତ୍ର ଭାବେ ଜନଜାତି ମନ୍ତ୍ରଣାଳୟ ଖୋଲାଯିବା ସହ ଆଦିବାସୀଙ୍କ ଉନ୍ନତି ପାଇଁ ଚେଷ୍ଟା କରାଯାଇଥିଲା । କଂଗ୍ରେସ ସରକାର ଅମଳରେ ଜନଜାତିଙ୍କ ପାଇଁ ଅଧିକ କାମ କରୁଥିବା ପ୍ରଚାର କରୁଥିବା ବେଳେ ଜନଜାତି ସବୁଠାରୁ ଅଧିକ ନିଷ୍ପେସିତ ହୋଇ ରହୁଥିଲେ । ମୋଦି ସରକାର ଜନଜାତିଙ୍କ ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ୫ ବର୍ଷ ମଧ୍ୟରେ ୨୮୮ଟି ମଡେଲ ସ୍କୁଲ ଖୋଲିଛନ୍ତି । ଅନ୍ୟପକ୍ଷରେ କେନ୍ଦୁପତ୍ର ତୋଳାଳି କଂଗ୍ରେସ ଓ ବିଜେଡି ସରକାର ସମୟରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟରେ ଜନଜାତି ପାଇଁ ଉଦ୍ଧିଷ୍ଟ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ମୋଦି ସରକାର ୯ହଜାର କୋଟି ଟଙ୍କାର ଅନୁଦାନର ବ୍ୟବସ୍ଥା କରିଛନ୍ତି । ଓଡିଶାରେ ବିର୍ସାମୁଣ୍ଡା ଇଂରେଜମାନଙ୍କୁ ହଟଇବା ପାଇଁ ଲଢେଇ କରୁଥିଲେ । ସେହିପରି ଜନଜାତି ଲୋକମାନେ ନବୀନ ସରକାରଙ୍କୁ ହଟେଇବା ପାଇଁ ଶତଚେଷ୍ଟା କରିବା ଉଚିତ୍ । ସ୍ତ୍ରୀର ଶବ ସକ୍ରାର କରିବା ପାଇଁ କାନ୍ଧରେ ଶବ ବୋହି ୧୨କି.ମି. ଚାଲିଚାଲି ଯାଇଥିବା ଦାନ ମାଝିର ଚିତ୍ର ଦେଖି ବିଶ୍ୱ ଓଡିଶାର ବିକାଶ କିପରି ଅଛି ଜାଣିପାରିଥିଲେ । ଏହି ଭଳି ଅନେକ ପ୍ରଶ୍ନ ଉପରେ ଶ୍ରୀ ଶାହା ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ ।
ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରି ସେ କହିଥିଲେ ଯେ, ଓଡିଶାରେ ଲୋକଙ୍କ ଶାସନ ପରିବର୍ତେ ଅମଲାତନ୍ତ୍ରିକ ଶାସନ ଚାଲିଛି । ଓଡିଆ ଜାଣି ନଥିବା ଲୋକ ୧୯ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇରହିଛନ୍ତି । ରାଜ୍ୟ ସରକାରଙ୍କ ପରିଚାଳନାରେ ଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ରତ୍ନଭଣ୍ଡାରର ସୁନା, ରୂପା ଆଦି ଅଳଙ୍କାରର ହିସାବ ମିଳୁନାହିଁ ।