କେନ୍ଦୁଝରରେ ୬୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଉଦଘାଟିତ

Feb 4, 2019 - 18:46
 152
କେନ୍ଦୁଝରରେ ୬୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଉଦଘାଟିତ
କେନ୍ଦୁଝର, ୩/୨(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ତାରିଖ ରବିବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ୬୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୨୧ ଶହ କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ପଣ୍ଡାପଡା ଠାରେ କାଳିଆ ସମାବେଶ ଓ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମଂଚରେ ମୁଖ୍ୟମନ୍ତ୍ରୀ ୧୩ ଜଣ ଚାଷୀ ଓ ୧୩ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତାଙ୍କ ସହିତ ବସିଥିବା ଦେଖିବାକୁ ମିଳିଥିଲା । ‘କାଳିଆ’ ସମାବେଶରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଜୟ ମା ତାରିଣୀ ବୋଲି ଉଚ୍ଚାରଣ କରିବା ସହିତ କେନ୍ଦୁଝର ଜିଲ୍ଲାବାସୀଙ୍କୁ ଶୁଭକାମନା ଜଣାଇଥିଲେ । କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ସହାୟତା ନିମନ୍ତେ ‘କାଳିଆ’ ଯୋଜନା ଲୋକପ୍ରିୟତା ହାସଲ କରିଛି ଏବଂ ଏହା ସମଗ୍ର ଭାରତ ବର୍ଷରେ ଗ୍ରହଣୀୟ ହୋଇଛି ବୋଲି କହିଥିଲେ । ଚାଷୀମାନଙ୍କର ହିତ ସାଧନ ପାଇଁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି ବୋଲି କହିବା ସହିତ ଚାଷୀମାନଙ୍କର ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ତଥା ମେଧାବୀ ଛାତ୍ରମାନଙ୍କ ପାଇଁ କାଳିଆ ଛାତ୍ରବୃତି ଘୋଷଣା କରିଥିଲେ । ମିଶନ ଶକ୍ତିର ଯେଉଁ କାର୍ଯ୍ୟକ୍ରମ ହୋଇଛି ସେଥିପାଇଁ ଆପଣମାନେ ଖୁସି ତ ବୋଲି ମହିଳାମାନଙ୍କ୍ୁ ପଚାରୁଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ଏକ ଭିଡିଓ ବାର୍ତାର ପ୍ରସାରଣ କରାଯାଇଥିଲା । ଏହି ଭିଡିଓ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୯୯ ମହାବାତ୍ୟା ଓଡିଶାକୁ ଧ୍ୱସ୍ତବିଧସ୍ତ କରିଦେଇଥିଲା । ଚାରିଆଡେ ହତାଶା ଭାବ ଖେଳିଯାଇଥିଲା । ଏହା ତାଙ୍କୁ ବହୁତ ବ୍ୟଥିତ କରିଥିଲା । ଏଣୁ ୨୦୦୦ ମସିହାରେ ସରକାର ଗଠନ କରିବାପରେ ରାଜ୍ୟକୁ ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କର ପ୍ରାଥମିକତା ଥିଲା । କୃଷି କ୍ଷେତ୍ରରେ ଓଡିଶାକୁ ସ୍ୱାବଲମ୍ବୀ କରିବା ପାଇଁ ସେ ଶପଥ ନେଇଥିଲେ । ଖାଦ୍ୟ ସୁରକ୍ଷା କ୍ଷେତ୍ରରେ, କୃଷି କ୍ଷେତ୍ରରେ ପରିବର୍ତନ ମହାପ୍ରଭୁଙ୍କ ଆଶୀଷ ଓ ଚାଷୀମାନଙ୍କର ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି । ଚାଷୀଙ୍କ ମେହେନତ ପାଇଁ ଜାତୀୟସ୍ତରରେ ଓଡିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇବାର ସୌଭାଗ୍ୟ ପାଇଛି । କୃଷି ଓ କୃଷକର ବିକାଶ ପାଇଁ ଜଳସେଚନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଉଛି । ଗରିବ ସୀମାରେଖା ତଳେ ଥିବା ଲୋକମାନଙ୍କୁ ତାଙ୍କ ସରକାର ଉପରକୁ ଉଠାଇଛି ।