ବିଜେଡିରେ ଯୋଗ ଦେଲେ ଯୋଗେଶ ସିଂହ

Feb 6, 2019 - 18:24
 199
ବିଜେଡିରେ ଯୋଗ ଦେଲେ ଯୋଗେଶ ସିଂହ
ଭୁବନେଶ୍ୱର,୬/୨(ସକାଳଖବର): ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ସିଂହ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର ହଜାର ହଜାର ସମର୍ଥକମାନେ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗେଶ ଜଣେ ଭଲ ସଂଗଠକ । ମୁଁ ତାଙ୍କୁ ସ୍ୱାଗତ କରୁଛି । ଯୋଗେଶଙ୍କ ସହ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗଦେବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଆମ ଦଳ ଆହୁରି ଶକ୍ତିଶାଳୀ ହେବା ସହ ସୁଦୃଢ଼ ହୋଇପାରିବ । ସେହିପରି ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ସିଂହ କହିଥିଲେ ଯେ ମୁଁ ବିଜେଡିରେ ଯୋଗଦେଇ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିବାକୁ ଚାହେଁ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କରିବା ମୋର ଏକମାତ୍ର ଲକ୍ଷ୍ୟ । ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ୭ଟି ଯାକ ବିଧାୟକ ବିଜୁ ଜନତା ଦଳର ହିଁ ହେବେ । ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୧୭ ତାରିଖରେ ଯୋଗେଶ ସିଂହଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା ।ପରେ ଜାନୁଆରୀ ୨୨ ତାରିଖରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ଯୋଗେଶ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେ ୨୦୦୯ ମସିହାରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଯୋଗଦାନ ଉତ୍ସବରେ ସୁନ୍ଦରଗଡ଼ ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ମଙ୍ଗଳା କିଷାନ, ବିଧାୟକ ସୁବ୍ରତ ତରାଇ, ବିଧାୟକ ପ୍ରାର୍ଥୀ କୁସୁମ ଟେଟେ, ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରଶାନ୍ତ ନନ୍ଦ, ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ତଳସରା ପ୍ରାର୍ଥୀ ବିନୟ ଟପ୍ପୋ, ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ସୁମନ୍ତ ପଣ୍ଡା, ରାଜ୍ୟ ସଂପାଦକ ଅସିତ ରାୟ, ପୌର ଉପାଧ୍ୟକ୍ଷ ଶ୍ରୀମତୀ ରଞ୍ଜନା ପଣ୍ଡା, ସୁନ୍ଦରଗଡ଼ ବିଜେଡି ନଗର ସଭାପତି ଅମିତାଭ ଯୋଶୀ, କୃଷକ ସାମ୍ମୁଖ୍ୟ ଜିଲ୍ଲା ସଭାପତି ଗୋପାଳ ପ୍ରଧାନ, ବରିଷ୍ଠ ନେତା ଜନ୍ମେଜୟ ମହାପାତ୍ର, ଜଗଦିଶ ପ୍ରତାପ ଦେଓ, ଏସ୍ସି ସେଲ୍ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ଉର୍ମା, ଅଜୟ ପଟେଲ, ସମ୍ବଲପୁର ଜୋନ୍ ଛାତ୍ର ବିଜେଡି ସଭାପତି ବୈକୁଣ୍ଠ ନାଏକଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।