ବିଜେଡ଼ିର ପ୍ରଶ୍ନ: ପ୍ରଧାନମନ୍ତ୍ରୀ କଣ ପାଇଁ ମହାନଦୀ କୂଳକୁ ଆସୁଛନ୍ତି

May 24, 2018 - 14:54
 207
ବିଜେଡ଼ିର ପ୍ରଶ୍ନ: ପ୍ରଧାନମନ୍ତ୍ରୀ କଣ ପାଇଁ ମହାନଦୀ କୂଳକୁ ଆସୁଛନ୍ତି
ଭୁବନେଶ୍ୱର,୨୪/୫(ସକାଳଖବର): ଓଡ଼ିଶାର ଜୀବନରେଖା କହିଲେ ମହାନଦୀକୁ ବୁଝାଇଥାଏ ଓ ଏହି ରାଜ୍ୟର ଦୁଇ-ତୃତୀୟାଂଶ ଲୋକଙ୍କ ଜୀବନ ଓ ଜୀବିକା ଏହା ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ମଧ୍ୟପ୍ରଦେଶରୁ ବାହାରି ଛତିଶଗଡ଼ ଦେଇ ମହାନଦୀ ବଙ୍ଗୋପସାଗରରେ ମିଶିଛି । ସଂପ୍ରତି ଆମ ରାଜ୍ୟର ଉପର ମୁଣ୍ଡରେ ଛତିଶଗଡ଼ ଅନେକଗୁଡିଏ ବ୍ୟାରେଜ କରିଥିବାରୁ ଓଡ଼ିଶାରେ ମହାନଦୀ ଜଳ ପ୍ରବାହ କ୍ରମଶଃ କମିବାରେ ଲାଗିଛି । କେତେକ ସ୍ଥାନରେ ମହାନଦୀ ଶୁଖିଲା ପଡିଛି । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଚାଲିଥିବା ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ସୁରକ୍ଷା ଅଭିଯାନ ଜାରି ରହିଛି । ଏଥିରେ ବହୁ ରାଜ୍ୟବାସୀ ସାମିଲ ହୋଇଛନ୍ତି । ମଇ ୧୬ରେ ବରଗଡ଼ର ଶୁଖାସୋଡ଼ା ଓ ଝାରସୁଗୁଡ଼ାର ଚିଖଲି ଠାରୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । ଆଜି ଅଷ୍ଟମ ଦିବସରେ ମହାନଦୀ ସୁରକ୍ଷା ଅଭିଯାନର ଡାହାଣ ପାଶ୍ୱର୍ ଟିମ୍ ଦାୟିତ୍ୱରେ ଥିବା ଦଳର ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବାମପାଶ୍ୱର୍ ଦାୟିତ୍ୱ ନେଇଥିବା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ସାଧାରଣ ସଭାରେ ଦେଇଥିବା ଭାଷଣରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମହାନଦୀ ସମସ୍ୟାର ସମାଧାନ ପାଇଁ ଏଥିରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଲାଗି ଆମର ପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସେ ଶୁଣିନଥିଲେ । ତେବେ ଆସନ୍ତା ୨୬ ତାରିଖ ଦିନ ଏ ସଂପର୍କରେ କ’ଣ କହିବାକୁ ପ୍ରଧାନମନ୍ତ୍ରୀ କଟକ ଆସୁଛନ୍ତି? ଆଜି ମହାନଦୀ ଡାହାଣ ପାଶ୍ୱର୍ ଟିମ୍ ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ଗହଣରେ ଟିମ ମୁଖ୍ୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୁରୀ ସହର ଛାଡ଼ି ସାକ୍ଷୀଗୋପାଳ, ସାତଶଙ୍ଖ ଦେଇ ପିପିଲି ଆସିବା ସହ ସେଠାରୁ ଖେଲାର ଓ ନିମାପଡ଼ା ଆସିଥିଲେ । ତା’ପରେ ଚାରିଛକ ଓ କାକଟପୁର ଦେଇ ଅସ୍ତରଙ୍ଗ, ଆନନ୍ଦବଜାର ଆସି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ଓ ସାଧାରଣ ସଭା କରିଥିଲେ । ବିଶେଷତଃ ନିମାପଡ଼ା, ଚାରିଛକ, ଅସ୍ତରଙ୍ଗ ଓ କାକଟପୁରରେ ହୋଇଥିବା ସଭାଗୁଡିକରେ ଉଦ୍‍ବୋଧନ ଦେଇ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ମହାନଦୀ ଓଡ଼ିଶାରେ ଏବେ ଶୁଖି ଶୁଖି ଯାଉଛି । ଛତିଶଗଡ଼ର ବିଜେପି ସରକାର ଷଡ଼ଯନ୍ତ୍ର କ୍ରମେ ଉପର ମୁଣ୍ଡରେ ବହୁ ବ୍ୟାରେଜ ନିର୍ମାଣ କରାଯାଇଥିଲା ବେଳେ କେନ୍ଦ୍ରର ବିଜେପି ସରକାର କିଛି ନଜାଣିଲା ଭଳି କାହିଁକି ଚୁପ୍ ରହିଛନ୍ତି? ୨୬ ତାରିଖରେ କାହିଁକି ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି? କଟକରେ ମହାନଦୀ ନିକଟସ୍ଥ ପଡ଼ିଆରେ ବିଜେପି ପକ୍ଷରୁ କରାଯାଉଥିବା ପ୍ରଧାନମନ୍ତ୍ରୀଙ୍କ ସଭା କ’ଣ ଓଡ଼ିଶାର କଟା ଘା’ରେ ଚୁନା ମାରିବା ପାଇଁ ହେଉଛି? ସେ ଏହି ମହାନଦୀ ଜଳ ବିବାଦ କ୍ଷେତ୍ରରେ ଓଡ଼ିଶାକୁ ବିପଦମୁକ୍ତ କରିବା ଲାଗି ଛତିଶଗଡ଼ ସରକାରକୁ ପରାମର୍ଶ ଓ ନିଦେ୍ର୍ଧଶ ଦେବା ପରିବର୍ତ୍ତେ କାହିଁକି ନିଦାବିଷ୍ଣୁ ସାଜିଛନ୍ତି? ଏହିସବୁ ସଭାଗୁଡିକରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ମହେଶ୍ୱର ମହାନ୍ତି, ବିଧାୟକ ସମୀର ରଞ୍ଜନ ଦାସ, ଉମାକାନ୍ତ ସାମନ୍ତରାୟ, ସୁରେନ୍ଦ୍ର ସେଠୀ, ପ୍ରମୋଦ ମଲ୍ଲିକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଏହି ଦଳ କାକଟପୁର ଠାରେ ରାତ୍ର ରହଣୀ ପରେ ଜଗତସିଂହପୁର ଜିଲ୍ଲା ଅଭିମୁଖେ ଯାତ୍ରାରମ୍ଭ କରିବ ।