ଇଗ୍ନୋ ପାଠ୍ୟକ୍ରମରେ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଫି’ ଛାଡ଼

May 24, 2018 - 13:51
 146
ଇଗ୍ନୋ ପାଠ୍ୟକ୍ରମରେ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଫି’ ଛାଡ଼
ଭୁବନେଶ୍ୱର,୨୪/୦୫(ସକାଳଖବର):ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) କର୍ତୃପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ସମସ୍ତ ପ୍ରକାରର ସାର୍ଟିଫିକେଟ , ସ୍ନାତକ ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି (ଏସସି/ଏସଟି) ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଏବଂ ପୁନଃନାମଲେଖା ଦେୟ (ଫି’) ଛାଡ଼ ପାଇଁ ଘୋଷଣା କରିଛନ୍ତି । ଯେଉଁ ଏସସି/ଏସଟି ଛାତ୍ରଛାତ୍ରୀ ଅନ୍ୟ ସଂସ୍ଥାଗୁଡ଼ିକ ଠାରୁ କୌଣସି ପ୍ରକାରର ଦେୟ ଛାଡ଼ ବୃତି ପାଉଛନ୍ତି ସେମାନେ ଏହି ଯୋଜନାରେ ଦେୟ ଛାଡ଼ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ନୂଆ କରି ପ୍ରଚଳନ ହୋଇଥିବା ସାର୍ଟିଫିକେଟ ପାଠ୍ୟକ୍ରମ ଏବଂ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଆଂଚଳିକ କେନ୍ଦ୍ର, ଭୁବନେଶ୍ୱର ଠାରେ ଯୋଗାଯୋଗ କରିପାରିବେ କିମ୍ବା ଆରସି, ଭୁବନେଶ୍ୱରର ଅଧିକୃତ ୱେବସାଇଟ ଦେଖିପାରିବେ । ସାର୍ଟିଫିକେଟ ପାଠ୍ୟକ୍ରମ, ଡିପ୍ଲୋମା ପାଠ୍ୟକ୍ରମ ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ଜୁନ, ୨୦୧୮ ଅଟେ । ଉପସ୍ନାତକ ଏବଂ ସ୍ନାତୋକତର ପାଠ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ୧୫ ଜୁଲାଇ, ୨୦୧୮ ଅଟେ । ଏହାଛଡ଼ା ଚଳିତ ବର୍ଷ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ପ୍ରାଥମିକ ଚିକିତ୍ସା, ଆଦିବାସୀ ଶିକ୍ଷା ଏବଂ ଇଭେଂଟ ମ୍ୟାନେଜମେଂଟରେ ତିନୋଟି ନୂଆ ସାର୍ଟିଫିକେଟ ପାଠ୍ୟକ୍ରମର ପ୍ରଚଳନ କରାଯାଇଛି । ଜୁଲାଇ ୨୦୧୮ ଠାରୁ ଆରମ୍ଭ ହେଉଥିବା ଶିକ୍ଷା ବର୍ଷ ଠାରୁ ଉପରୋକ୍ତ ନୂଆ ପାଠ୍ୟକ୍ରମରେ ଆଗ୍ରହୀ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ।