ବାରିପଦା ସହରକୁ ପାନୀୟଜଳ ଯୋଗାଣର ସମୀକ୍ଷା

Sep 2, 2019 - 07:24
 114
ବାରିପଦା, ୩୦/୮(ସକାଳଖବର): ବାରିପଦା ସହରର ପାନୀୟଜଳ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ପାନୀୟ ଜଳ ପ୍ରକଳ୍ପକୁ ମଂଜୁର କରିଥିଲେ । ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ଜମ୍ଭୀରା ଜଳଭଣ୍ଡାରରୁ ବାରିପଦା ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରଯାଉଛି । ୨ ଲକ୍ଷ ଜନସଂଖ୍ୟାର ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବାପାଇଁ ୨୫୪.୪୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନୂତନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ୨୦୨୦ ମସିହା ନଭେମ୍ବର ମାସରେ ଏହି ନୂତନ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟସଭା ସାଂସଦ ସରୋଜୀନି ହେମ୍ବ୍ରମ ଆଜି ଜମ୍ଭୀରା ଜଳଭଣ୍ଡାର ନିକଟ ପଥୁରୀଠାରେ ଏହି ନୂତନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସହକାରୀ ନର୍ବିାହୀ ଯନ୍ତ୍ରୀ ଅସୀତ ମହାନ୍ତି ଓ ସୁରେଶ ଚନ୍ଦ୍ର ବେହେର ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଉପ-ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜମ୍ଭୀରା ଜଳଭଣ୍ଡାର ଠାରୁ ୧.୭ କି.ମି. ଦୀର୍ଘ ପାଇପ ବିଛାଯିବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ହୋଇପାରୁନାହିଁ ବୋଳି ସମୀକ୍ଷା ସମୟରେ ଜଣାପଡ଼ିଥିଲା । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଯୋଗୁଁ ଜମି ହରାଇଥିବା ପରିବାର ମାନଙ୍କୁ ରାଜ୍ୟ ସରକାରଙ୍କ ନୂତନ କ୍ଷତିପୂରଣ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଆନେ୍ଦାଳନ କରୁଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ସମ୍ପର୍କରେ ଜଣାପଡ଼ିଥିଲା । ରାଜ୍ୟ ସରକାରଙ୍କ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରି ସମସ୍ରାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ।