ରୋଗୀ ଚିକତ୍ସା କରିବାକୁ ମନାକଲେ ଡ଼ାକ୍ତର

Apr 26, 2018 - 18:46
 135
ରୋଗୀ ଚିକତ୍ସା କରିବାକୁ ମନାକଲେ ଡ଼ାକ୍ତର
କଟକ,୨୭ା୪: ରୋଗୀଟିଏ ଉନ୍ନତମାନର ଚିକିତ୍ସା ସ୍ୱଳ୍ପ ମୂଲ୍ୟ ବିନିମୟରେ ପାଇବାପାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)କୁ ଆସିଥାଏ । ବହୁ ସଙ୍କଟାପନ୍ନ ରୋଗୀଙ୍କୁ ସୁସ୍ଥ କରାଇବାରେ ମେଡିକାଲର ଖ୍ୟାତି ମଧ୍ୟ ରହିଛି । କିନ୍ତୁ ଏବେ ଗୁରୁତର ରୋଗୀଙ୍କୁ ସୁସ୍ଥ କରିବା ଅସମ୍ଭବ ଦର୍ଶାଇ ବଡ ମେଡିକାଲର ଡାକ୍ତର ଆଡମିଶନ କରାଉନାହାନ୍ତି । ଏହିପରି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜନୈକ ପିତ୍ତକୋଷ କର୍କଟ ରୋଗୀ । ରୋଗିଟିଏ ଯେତେ ଗୁରୁତର ହେଉନା କାହିଁକି, ଡାକ୍ତର ନିଜ ଭେଷଜ ଜ୍ଞାନକୁ ଉପଯୋଗ କରିବା ବଦଳରେ ଖୁବ କମ୍ ଦିନରେ ଜୀବନ ଚାଲିଯିବ କହି ରୋଗୀକୁ ଘରକୁ ଚାଲିଯିବାକୁ ପରାମର୍ଶ ଦେବାନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଦାଶରଥୀ ମହାପାତ୍ର(୫୦), ଘର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକର ଅଢଙ୍ଗା ଗାଁରେ । ଗତ ଦେଢ ବର୍ଷ ତଳେ ତାଙ୍କ ପେଟରେ ଷ୍ଟୋନ ହୋଇଥିବା ଜଣାପଡିଥିଲା । କିନ୍ତୁ ଅର୍ଥ ତଥା ମାନବସମ୍ବଳ ଅଭାବରୁ ସେ ତାହାର ଚିକିତ୍ସା କରାଇପାରିନଥିଲେ । ଗତ ୨ଦିନତଳେ ଗାଁର ଶିକ୍ଷିତ ଯୁବକ ରାଜେଶ ସାହୁ ,ସ୍ମୃତି ରଞ୍ଜନ ସାହୁ ଓ ବିଶ୍ୱରଞ୍ଜନ ଦାସ ପ୍ରମୁଖ ଦାଶରଥୀଙ୍କ ଚିକିତ୍ସା ନିମନ୍ତେ ବଦାନ୍ୟ ବ୍ୟକ୍ତିଙ୍କଠାରୁ ୭ହଜାର ଟଙ୍କା ସଂଗ୍ରହ କରିଥିଲେ । ତାଙ୍କୁ କଟକ ବଡ ମେଡିକାଲ ନେଇ ଓପିଡିରେ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ । ତାଙ୍କର ଅଲଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା କରିବାପାଇଁ ଓପିଡି ଡାକ୍ତର କହିଥିଲେ । ପରୀକ୍ଷା ନିରୀକ୍ଷାପରେ ସେ ଜଣ୍ଡିସ ଓ ପିତ୍ତକୋଷ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଥିଲା । ତେଣୁ ତାଙ୍କୁ ଓପିଡି ଡାକ୍ତର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗକୁ ପଠାଇଦେଇଥିଲେ । ସେଠାକାର ଡାକ୍ତରଙ୍କୁ ଦେଖାକରିବାରୁ ସେ ସମସ୍ତ ପରୀକ୍ଷା ରିପୋର୍ଟ ଦେଖିଥିଲେ । ସେଥିରୁ ଦାଶରଥୀଙ୍କ ଜୀବନ ଶେଷ ପର୍ଯ୍ୟାୟରେ ବୋଲି ଡାକ୍ତର କହି ମେଡିକାଲରେ ଆଡମିଶନ କରିବାକୁ ମନା କରିଦେଇଥିଲେ । ବରଂ ଘରେ ଶେଷ ଜୀବନ ବିତାଇବାପାଇଁ ପରାମର୍ଶ ଦେଇଥିଲେ । ଦାଶରଥୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରିବାକୁ ଡାକ୍ତରଙ୍କୁ ଯେତେ ନେହୁରା ହୋଇଥିଲେ ମଧ୍ୟ ଡାକ୍ତର ଶୁଣି ନଥିଲେ । ଫଳରେ ରୋଗୀକୁ ନେଇ ତାଙ୍କ ସମ୍ପର୍କୀୟ ନିରାଶ ହୋଇ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗରୁ ଫେରିଥିଲେ । ତେବେ ବଡ ମେଡିକାଲର ଜନୈକ ବରିଷ୍ଠ ପ୍ରଫେସର ଏହି ରୋଗପାଇଁ ଅଲିଶା ବଜାରର ଜଣେ ହୋମିଓପାଥି ଡାକ୍ତରଙ୍କ ଠିକଣା ବତାଇଥିଲେ । ପରେ ଦାଶରଥୀଙ୍କୁ ତାଙ୍କ ସମ୍ପର୍କୀୟ ନିରୂପାୟ ହୋଇ ହୋମିଓପାଥି ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସମ୍ପୃକ୍ତ ଡାକ୍ତର ଶ୍ରୀ ରେହମନ ୧୫ଦିନପାଇଁ ହୋମିଓ ଓøଷଧ ଦେବା ସହ ନିୟମିତ ସେବନ କରିବାକୁ ପରାମର୍ଶ ଦେଇଥିଲେ । ଆଜି ସନ୍ଧ୍ୟାରେ ଦାଶରଥୀ ଘରକୁ ଫେରିଯାଇଛନ୍ତି । ତେବେ ବଡ ମେଡିକାଲ ଡାକ୍ତର ଚିକିତ୍ସା ବ୍ୟବସ୍ଥା ନକରି ରୋଗୀର ଶେଷ ଅବସ୍ଥା ବୋଲି ଦର୍ଶାଇ ଘରକୁ ନେଇଯିବାକୁ ପରାମର୍ଶ ଦେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।