ବନ ବିଭାଗକୁ ଚକ୍ମା ଦେଇ ଚାଲିଛି ସୁନ୍ଦରୀ

Sep 27, 2018 - 19:00
 285
ବନ ବିଭାଗକୁ ଚକ୍ମା ଦେଇ ଚାଲିଛି ସୁନ୍ଦରୀ
ଅନୁଗୋଳ, ୨୭/୯(ସକାଳଖବର): ସାତକୋଶିଆ ଅଭୟାରଣ୍ୟରେ ବନ୍ଧବଗଡ଼ରୁ ଆସିଥିବା ବାଘୁଣୀ “ସୁନ୍ଦରୀ” ବନ ବିଭାଗର ନିଦ ହଜାଇ ଦେଇଛି । ଗାଈ, ବାଛୁରୀ ଓ ମଣିଷ ଉପରେ ଆକ୍ରମଣ କରିବା ପରେ ଏବେ ବାଘୁଣୀ ଗାଁ ମୁହାଁ ହୋଇ ପଡ଼ିବା ଯୋଗୁଁ ସାତକୋଶିଆ ଅଞ୍ଚଳବାସୀ ଭୟ, ଆତଙ୍କ ମଧ୍ୟରେ ଜୀବନ କାଟୁଛନ୍ତି । ତେବେ ହାତୀବାରିରେ ଜଣେ ମହିଳାଙ୍କୁ ଆକ୍ରମଣ କରି ମାରିବା ପରେ ବନ ବିଭାଗ ବାଘୁଣୀଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଆଉ ୪ଟି ବିଶେଷଜ୍ଞ ଦଳ ଗତ ବୁଧବାର ଠାରୁ ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ବାଘୁଣୀ ବନ ବିଭାଗକୁ ଚକମା ଦେଇ ଚାଲିଛି । ଅପରପକ୍ଷେ ସାତକୋଶିଆ ଅଞ୍ଚଳର ହାତୀବାରୀ ଗାଁର ଜଣେ ମହିଳା ବାଘୁଣୀ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା । ଏହି ସମୟରେ ପ୍ରଶାସନ ପକ୍ଷରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ଧରିବା ପରେ ତାଙ୍କୁ ଆଉ ସାତକୋଶିଆରେ ଛଡ଼ାଯିବ ନାହିଁ ବୋଲି ପ୍ରତିଶୃତି ଦିଆଯାଇଥିଲା । ଯଦ୍ୱାରା ଉତ୍ତେଜନା ଶାନ୍ତ ପଡ଼ିଥିଲା । ତାପରେ ପରେ ଜଙ୍ଗଲମନ୍ତ୍ରୀଙ୍କ ଉପରଠାଉରିଆ ଟିପ୍ଣୀ ଗଣ ମାଧ୍ୟରେ ପ୍ରକାଶ ପାଇବା ପରେ ସାତକୋଶିଆବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।ପୁଣି ତାପରେ ତାପରେ ବାଘୁଣୀ ସାତକୋଶିଆ ଅଭୟାରଣ୍ୟର କୋର ଏରିଆଠାରୁ ୪୦ କି.ମି. ଦୂର ଆଠମଲ୍ଲିକ ବନ ଖଣ୍ଡ ଅଞ୍ଚଳର ବିପ୍ରଡ଼ିହରେ ଗାଈ ବାଛୁରୀ ମାରିବା ଏବଂ ତାପରେ ହାତୀଧରା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହି ଗାଈ ମାରି ଖାଇବା ପରେ ବନ ବିଭାଗ ନାକେଦମ ହୋଇପଡ଼ିଥିଲା ।ଆଉ ବର୍ତ୍ତମାନ ୪ଟି ବିଶେଷଜ୍ଞ ଦଳ ବାଘୁଣୀକୁ କାବୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବାଘୁଣୀକୁ ଧରିବା ପାଇଁ ୩ଟି ଯନ୍ତା ମଧ୍ୟ ପ୍ରସ୍ତୁତି କରି ରଖାଯାଇଛି । ହେଲେ ବାଘୁଣୀ ଚକମା ଦେଇ ଚାଲିଛି ।ବର୍ତ୍ତମାନ ବାଘୁଣୀ ଆଠମଲ୍ଲିକ ଅଞ୍ଚଳର ଲେହେଡ଼ି, ରଙ୍ଗପୁର, ତେଲନଇ, କୁନ୍ଦପୁର, ରଙ୍ଗମାଟିଆ ଅଞ୍ଚଳରେ ଚଳପ୍ରଚଳ କରୁଛି ।ତାଙ୍କୁ ଧରିବା ପାଇଁ ବିଶେଷଜ୍ଞ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି । ତେବେ ସ୍ଥାନୀୟ କୁନ୍ଦପୁର ଗାଁ ଲୋକଙ୍କୁ ଜଙ୍ଗଲ ଯିବା ପାଇଁ ବିଶେଷଜ୍ଞ ଦଳ ବାରଣ କରିଛନ୍ତି । ଅପରପକ୍ଷେ ବାଘୁଣୀକୁ ଧରିବା ପରେ ସାତକୋଶିଆର କୋର ଏରିଆ ଭିତରେ ଛଡ଼ାଯିବ ବୋଲି ଆରସିସିଏଫ ସୁଦର୍ଶନ ପଣ୍ଡା ସୂଚନା ଦେବା ପରେ ସାତକୋଶିଆ ଅଭୟାରଣ୍ୟବାସୀଙ୍କ ମଧ୍ୟରେ ପୁଣି କୋକୁଆ ଭୟ ଆରମ୍ଭ ହୋଇଛି । ତେବେ ବନ ବିଭାଗ ବାଘୁଣୀକୁ କୋର ଏରିଆରେ ଛାଡ଼ିବା ପରେ ଯଦି ପୁଣି ଗାଁ ମୁଁହା ହୁଏ ତାହା ସାତକୋଶିଆବାସୀଙ୍କ ପାଇଁ ବଡ଼ ବିପଦ ବୋଲି ଅଞ୍ଚଳବାସୀ ଆଶଙ୍କା କରୁଛନ୍ତି । କାରଣ ବନ ବିଭାଗଙ୍କ ବାଘୁକୁ ନେଇ ଗୋଟିଏ ପରେ ଗୋଟିଏ ମତ ପରିବର୍ତ୍ତନ କରୁଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ କ୍ଷୁବ୍ଧ ହୋଇ ପଡ଼ିଥିବା ଜଣାଯାଇଛି । ସୂଚନା ଯେ ବାଘୁଣୀକୁ ନେଇ ବନ ବିଭାଗର ବୟାନ ଓ ସୂଚନାର ତାଳମେଳ ରହୁନାହିଁ । ଯେତେବେଳେ ବାଘ ଛଡ଼ାଗଲା ସେହି ସମୟରେ ଗଣମାଧ୍ୟମ ଓ ସାତକୋଶିଆ ଅଞ୍ଚଳବାସୀକୁ ସୂଚନା ଦିଆଗଲା ନାହିଁ ୍କି ସଚେତନ ମଧ୍ୟ କରାଗଲା ନାହିଁ । ପୁଣି ଯେତେବେଳେ ବାଘୁଣୀ ଗାଈ, ବାଛୁରୀ ଶିକାର କଲା ତାହାକୁ ମଧ୍ୟ ଏଡ଼ାଇଦେଲେ ଏପରିକି ଯେତେବେଳେ ହାତିବାରୀର ମହିଳା ଜଣଙ୍କ ବାଘୁଣୀ ଆକ୍ରମଣରେ ମୃତ୍ୟୁବରଣ କଲେ ସେତେବେଳେ ଏହି ମୃତ୍ୟୁ ଘଟଣାରେ ବାଘୁଣୀର ସଂପୃକ୍ତି ନାହିଁ । ଅନ୍ୟପଟେ ବନ୍ୟଜନ୍ତୁ ଆକ୍ରମଣ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା । କିନ୍ତୁ ବାଘୁଣୀ ନୁହେଁ ବୋଲି ବନ ବିଭାଗ ସଫେଇ ଦେଇଥିଲା । ବନ ବିଭାଗର ଏଭଳି ବୟାନ ଓ ମନ୍ତବ୍ୟ ନେଇ ସାତକୋଶିଆବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାଯାଇଛି ।