‘ପ୍ରାର୍ଥୀ ହେବା ପାଇଁ ଲବି କରିବି ନାହିଁ’
ଗତ ମେ ୨୬ ତାରିଖରେ କଟକ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ । ସେ ବାୟୁସେନା ବିମାନରେ ତଳ ବାଲିଯାତ୍ରା ପଡିଆରେ ଓହ୍ଲାଇବା ପରେ ତାଙ୍କୁ ପାଛୋଟି ନେବାକୁ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ନୀତିଶ ଗଙ୍ଗଦେବ, ଗୋବିନ୍ଦ ଚନ୍ଦ୍ର ଦାସ ଓ ରାଧାରାଣୀ ପଣ୍ଡା ପ୍ରମୁଖ । ଏହି କାର୍ଯ୍ୟପାଇଁ ପିଏମଓ କାର୍ଯ୍ୟାଳୟରୁ ଖୁବ କମ୍ ସଂଖ୍ୟକ ଲୋକଙ୍କୁ ଅନୁମତି ମିଳିଥିଲା । ତେବେ ଏମାନଙ୍କ ବ୍ୟତୀତ ପ୍ରମୁଖ ଦାୟିତ୍ୱ ମିଳିଥିଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ-ସଭାପତି ଠାକୁର ରଣଜିତ ଦାସଙ୍କୁ । ଅନ୍ୟମାନେ ପଛରେ ରହିଥିବାବେଳେ ମୋଦିଙ୍କ ନିକଟତର ହୋଇ ସଭାସ୍ଥଳକୁ ଆସିଥିଲେ ଏହି ଯୁବନେତା । ଏପରିକି ଚାଲି ଚାଲି ଆସୁଥିବାବେଳେ ତାଙ୍କ ସହ ମୋଦୀ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା । କହିବା ବାହୁଲ୍ୟ, ସମ୍ପ୍ରତି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଙ୍ଗଠନରେ ଓଡିଶାରୁ ଏକମାତ୍ର ଯୁବ ବ୍ୟକ୍ତିତ୍ୱ ସ୍ଥାନ ପାଇଛନ୍ତି । ଓଡିଶାରୁ ଯାଇ ରାଷ୍ଟ୍ରୀୟସ୍ତରରେ ନିଜର ଉପସ୍ଥିତି ଜାହିର କରିପାରିଛନ୍ତି । ଏହି ଯୁବନେତାଙ୍କ ସହ ‘ସକାଳ ଖବର’ର ସ୍ୱତନ୍ତ୍ର ସାକ୍ଷାତକାର ।
ପ୍ରଶ୍ନ: ବିଜେପିର ରାଷ୍ଟ୍ରୀୟ ଶାଖାକୁ କିପରି ମନୋନୀତ ହେଲେ?
ଉତ୍ତର: ୨୦୦୦ ମସିହାରୁ ୨୦୦୭ ପର୍ଯ୍ୟନ୍ତ ଏବିଭିପିରେ ପୂର୍ଣର୍କାଳୀନ ପ୍ରଚାରକ ଭାବେ କାର୍ଯ୍ୟ କରିଛି । ଏହି ସମୟ ମଧ୍ୟରେ ଓଡିଶାର ଛାତ୍ରସମାଜ ପାଇଁ ବିଭିନ୍ନ ପ୍ରସଙ୍ଗ ନେଇ ଆନେ୍ଦାଳନ କରିଥିଲୁ । ଡ୍ରେସ କୋଡ୍ ପ୍ରଚଳନ, ୫ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ, ବର୍ଦ୍ଧିତ ପରୀକ୍ଷା ଫି କମାଇବାରେ ସଫଳ ହୋଇଛୁ ମଧ୍ୟ । ପରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାରେ କାର୍ଯ୍ୟ କରିବାକୁ କୁହାଯାଇଥିଲା । ସେଥିରେ ସଫଳତାର ସହ କାର୍ଯ୍ୟ କରିଛି । ୨୦୧୨ରୁ ୧୪ ପର୍ଯ୍ୟନ୍ତ ରାଜ୍ୟ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ୱରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଛି । ୨୦୧୭ରେ ପୁନମ ମହାଜନଙ୍କ ନେତୃତ୍ୱରେ ଗଠିତ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଟିମରେ ଓଡିଶାର ଏକମାତ୍ର ବ୍ୟକ୍ତିଭାବେ ମୋତେ ଦାୟିତ୍ୱ ମିଳିଛି ।
ପ୍ରଶ୍ନ:୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେ?
ଉତ୍ତର: ବିଧାନସଭାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସ ମୋ ସାଆନ୍ତେ(ବାପାଙ୍କ ଜେଜେ) । ସେହି ଦୃଷ୍ଟିରୁ ମୋ ପରିବାର ବାଲେଶ୍ୱର ଜିଲ୍ଲାରେ ବେଶ୍ ପରିଚିତ । ବିଭିନ୍ନ ସମୟରେ ମୋତେ ନିର୍ବାଚିତ ପ୍ରତିନିଧି ଭାବେ ଦେଖିବାକୁ ମୋ ଅଞ୍ଚଳର ଲୋକଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟିହୁଏ । ତେବେ ଏଥିପାଇଁ କେବେ ଲବି କରିନାହିଁ, ବା କରିବାର ପ୍ରଶ୍ନ ଉଠୁନାହିଁ । ୨୦୧୯ ନିର୍ବାଚନ ସମ୍ପର୍କରେ ଦଳ ବିଚାର କରିବ ।
ପ୍ରଶ୍ନ: ରାଷ୍ଟ୍ର ପ୍ରତି ଦଳର ବିଚାରଧାରା କିପରି?
ଉତ୍ତର: ବିଜେପି ରାଷ୍ଟ୍ରବାଦୀ ବିଚାରଧାରାରେ ବିଶ୍ୱାସ କରେ । ଦଳ ହିଂସାରେ ବିଶ୍ୱାସ କରେନାହିଁ । ବିକାଶ ହିଁ ଦଳର ଏକମାତ୍ର ଲକ୍ଷ୍ୟ । ଲୋକଙ୍କ ଉନ୍ନତିରେ ଦେଶର ଉନ୍ନତିବୋଲି ଦଳର ଆଭିମୁଖ୍ୟ ଆରମ୍ଭରୁ ରହିଆସିଛି ।
ପ୍ରଶ୍ନ: ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ କିପରି?
ଉତ୍ତର: ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ହେଉ । ସେ ଓଡିଶା ସମ୍ପର୍କରେ ବୁଝିଥାନ୍ତି । ଜଗନ୍ନାଥ ଦେଶର ବ୍ୟକ୍ତି ହୋଇଥିବାରୁ ଭଲ ପାଆନ୍ତି । ରାଜ୍ୟରେ ବିଜେପିର ସ୍ଥିତି ସମ୍ପର୍କରେ ପଚାରି ବୁଝିଥାନ୍ତି ।
ପ୍ରଶ୍ନ: ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଓ ୨୦୧୯ ନିର୍ବାଚନ ପାଇଁ ବିଜେପିର ସ୍ଥିତି କଣ?
ଉତ୍ତର: ଓଡିଶାବାସୀ ୧୮ବର୍ଷ ଧରି ନବୀନ ସରକାରଙ୍କୁ ଭୋଟ ଦେଇଛନ୍ତି । କିନ୍ତୁ ଇନ୍ଦିରା ଆବାସ, ରାସନ କାର୍ଡ ପାଇଁ ଲାଞ୍ଚ ଦେବାକୁ ପଡୁଛି । ଯୁବକଙ୍କ ପାଇଁ ନିଯୁକ୍ତି ନଥିବା ଲୋକମାନେ ଅନୁଭବ କରୁଛନ୍ତି । ଅନ୍ୟପଟେ, ସମର୍ଥନ ପାଇନଥିବା ବିଜେପି ଦ୍ୱାରା ପ୍ରଚଳିତ ଉଜ୍ଜଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକମାନେ ଉପକୃତ ହେଉଛନ୍ତି । ତେଣୁ ଲୋକଙ୍କ ଭିତରେ କ୍ରୋଧ ଭରିରହିଛି । ତାହା ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ । କର୍ଣ୍ଣାଟକ, ତ୍ରିପୁରା, ଉତ୍ତର ପ୍ରଦେଶ ପରି ଓଡିଶାର ସ୍ଥିତି ହେବ । ଦୁର୍ନୀତି , ଭ୍ରଷ୍ଟାଚାର ଶାସନ ବିରୋଧରେ ଓଡିଶାବାସୀ ଉଚିତ୍ ଜବାବ ଦେବେ । ଶାସକ ଦଳକୁ ତଡି ଅନ୍ୟ ଦଳକୁ ଲୋକେ ବାଛିବେ । ଏହାର ଫାଇଦା ବିଜେପି ନେଇ ସରକାର ଗଢିବ ।
ପ୍ରଶ୍ନ: ନିଜ ଅଞ୍ଚଳରେ କି’ ପ୍ରକାର ସାମାଜିକ କାର୍ଯ୍ୟକଳାପ କରିଛନ୍ତି?
ଉତ୍ତର: ବାଲେଶ୍ୱର ଜିଲ୍ଲା ସୋରୋସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଯୁକ୍ତ ୨ ପଢୁଥିଲି । ସେତେବେଳେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟାନେଇ ଆଗରେ ଛିଡା ହେଉଥିଲି । ପାଠାଗାର, ବିଷୟ ବଦଳ କରିବା, ଛାତ୍ରାବାସରେ ସ୍ଥାନ ପାଇବା, ଛାତ୍ରବୃତ୍ତି ଆଦି ପାଇଁ ଛାତ୍ରଛାତ୍ରୀମାନେ ହଇରାଣ ହେଉଥିବାବେଳେ ମୋର ମନ ଆନେ୍ଦାଳିତ କରୁଥିଲା । କୌଣସି ଛାତ୍ରଠାରୁ ଅଭିଯାଗ ଶୁଣିବାମାତ୍ରେ ତାହା ସମାଧାନ କରୁଥିଲି । ଏପରିକି ଅନଶନରେ ବସୁଥିଲି । ଏହାରି ଭିତରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଂସ୍ପର୍ଶରେ ଆସିଥିଲି । ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ପର୍କୀତ ଅସୁବିଧା ଦୂର କରିବାରେ ନିଜକୁ ନିୟୋଜିତ କରିଥିବାରୁ ସେମାନେ ମୋତେ ଯୁକ୍ତ ୨ରେ ସାଂସ୍କୃତିକ ସମ୍ପାଦକ, ଯୁକ୍ତ ୩ରେ ଉପ ସଭାପତି, ସାଧାରଣ ସମ୍ପାଦକ ଓ ସଭାପତି ଦାୟିତ୍ୱ ବୁଝିବାକୁ ଛାତ୍ର ସଂସଦକୁ ନିର୍ବାଚିତ କରିଥିଲେ । ଏବେ ବି ମୋ ଅଞ୍ଚଳର ଲୋକମାନେ ବଡ ମେଡିକାଲ ବା ଭୁବନଶ୍ୱେରର କିଛି କାମ ଥିଲେ ମୋତେ ସହାୟତା ମାଗିଥାନ୍ତି । ମୁଁ ସେମାନଙ୍କୁ ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରିଥାଏ । ସେଥିରେ ମୋତେ ମିଳିଥାଏ ଆତ୍ମତୃପ୍ତି ।