ଉନ୍ନତ ଚିକିତ୍ସା ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ: ଏସ୍ସିବି ପ୍ରଶାସନିକ ଅଧିକାରୀ

May 5, 2018 - 05:39
 552
ଗତକାଲି ପୂର୍ବାହ୍ନରେ କଳ୍ପତରୁ ବେହେରା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନୂତନ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକର ଓସକଣା ଗାଁରେ ଜନ୍ମିତ କଳ୍ପତରୁ କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରେ ଯୁକ୍ତ ୨ ବିଜ୍ଞାନ, ଯୁକ୍ତ ୩ ଓ ବିଜ୍ଞାନରେ ସ୍ନାତକୋତ୍ତର ରେଭେନ୍ସା କଲେଜରେ ଶେଷ କରିଥିଲେ । ସେ କିଛିଦିନ ଧରି କେନ୍ଦ୍ର ସଚିବାଳୟ ସେବାରେ ଆସିଷ୍ଟାଣ୍ଡ ସେକ୍ସନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ଓଏଏସ ପାଇବା ପରେ ତିର୍ତ୍ତୋଲ ଓ ବୀରମହାରାଜପୁରର ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଥିଲେ । ସେହିପରି ନୟାଗଡ ଓ କାମାକ୍ଷାନଗରରେ ତହସିଲଦାର ଦାୟିତ୍ୱ ନିର୍ବାହ କରିଥିଲେ । ଏହାପୂର୍ବରୁ ସେ କାମାକ୍ଷାନଗରର ଉପ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ତାଙ୍କ ସହ ଏକ ସାକ୍ଷାତକାର । - ପ୍ରଶାସନିକ ଅଧିକାରୀ ହିସାବରେ ଆପଣଙ୍କର ପ୍ରାଥମିକତା କ’ଣ ରହିବ? ବଡ ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ଆସୁଛନ୍ତି । ଏହି ହସ୍ପିଟାଲରୁ ଉନ୍ନତମାନର ଚିକିତ୍ସା ପାଇବାପାଇଁ ଗରିବ ତଥା ସାଧାରଣ ରୋଗୀଙ୍କର ବହୁ ଭରସା ରହିଛି । ସେଥିପାଇଁ ଲୋକମାନେ ଦୂରଦୂରାନ୍ତରୁ ଏଠାକୁ ଆସିଥାନ୍ତି । ତେଣୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଗରିବ ଲୋକମାନେ ଯେପରି ରାଜ୍ୟ ଚିକିତ୍ସା ପାଣ୍ଠି, ବିଜୁ ବୀମା ଯୋଜନା ଓ ରାଷ୍ଟ୍ରୀୟ ବୀମା ଯୋଜନାରେ ଉପକୃତ ହୋଇପାରିବେ, ସେଥିପ୍ରତି ନଜର ଦିଆଯିବ । ପୁନଶ୍ଚ ପରିମଳକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ମେଡିକାଲରେ ସଫେଇ ଯେପରି ଠିକଭାବେ ହେବ, ତା’ର ତଦାରଖ କରାଯିବ । ବିଭିନ୍ନ ବିଭାଗର ଶୌଚାଳୟ ଗୁଡିକର ରକ୍ଷଣାବେକ୍ଷଣ କରାଯିବା ସହ ପିଇବା ପାଣି ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ । ମେଡିକାଲରେ ଯେପରି ଦଲାଲଙ୍କ ପ୍ରାଦୁର୍ଭାବ ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ । - ଡ଼ାକ୍ତରଖାନାରେ ଗଣ୍ଡଗୋଳ ପରି ଅଶୋଭନୀୟ ଘଟଣାକୁ ଏଡାଇବାକୁ କି ପଦକ୍ଷେପ ନେବେ? ପ୍ରଥମତଃ ରୋଗୀ ସମ୍ପର୍କୀୟମାନେ ନିଜ ରୋଗୀକୁ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ କରି ହୋହଲ୍ଲା କରିଥାନ୍ତି । ତେଣୁ ଡାକ୍ତରମାନେ ଡ୍ୟୁଟିରେ ଅବହେଳା କରୁଛନ୍ତି କି ନାହିଁ, ତାକୁ ତଦାରଖ କରିବାପାଇଁ ଏକ କମିଟି ଗଠନ କରାଯିବ । ସେହିପରି ବିଭିନ୍ନ ସମୟରେ ରୋଗୀ ସମ୍ପର୍କୀୟମାନେ ମଧ୍ୟ ମଦ୍ୟପାନ କରି କାଣ୍ଡ ଭିଆଇଥାନ୍ତି । ସେଥିପାଇଁ ସିସିଟିଭି ବ୍ୟବସ୍ଥାକୁ କଡାକଡି କରାଯିବ । -ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡ଼ିଥିବା ସଂପର୍କରେ ଆପଣଙ୍କ ମତାମତ କଣ? ବିଭିନ୍ନ ବିଭାଗରେ କେତେଜଣ ଡାକ୍ତର ନାହାନ୍ତି, ତା’ର ଏକ ତାଲିକା ପ୍ରସ୍ତୁତ କରାଯିବ । ପରେ ସ୍ୱାସ୍ଥ୍ୟ ବିଭାଗରେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି । ମେଡିକାଲ କର୍ମଚାରୀଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଖୁବ ଶୀଘ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଟେକ୍ନିସିଆନ ପଦବୀ ପୂରଣ କରାଯିବ । - ହସ୍ପିଟାଲର କେତେକ ଲିଫ୍ଟ ଅଚଳ ନେଇ କି’ ପଦକ୍ଷେପ ଗ୍ରହଣ କରିବେ ? ବହୁତଳ ପ୍ରାସାଦକୁ ଯିବା ଆସିବାପାଇଁ ଉଭୟ ଡାକ୍ତର ଓ ରୋଗୀଙ୍କ ନିମନ୍ତେ ଲିଫ୍ଟର ବ୍ୟବସ୍ଥା କରାଯାଇଛି । କିନ୍ତୁ କେତୋଟି ଲିଫ୍ଟ ଅଚଳ ରହିଥିବା କୁହାଯାଉଛି । ଏଗୁଡିକ କେତେଦିନ ଧରି କାର୍ଯ୍ୟ କରିବାପରେ ଖରାପ ହୋଇଛି ଏବଂ କେଉଁ କମ୍ପାନୀ ଏହା ଯୋଗାଇଛି, ତାହାକୁ ଅନୁଧ୍ୟାନ କରାଯିବ । ଯଦି ନିମ୍ନମାନର ସାମଗ୍ରୀ ଯୋଗାଣ ହୋଇଥିବ, ତେବେ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇ ପଦକ୍ଷେପ ନିଆଯିବ ।