ସୁନ୍ଦରଗଡ଼: ବିଜେଡି, କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

Apr 7, 2019 - 06:05
 153
ସୁନ୍ଦରଗଡ, ୬/୪(ସକାଳଖବର): ଓଡିଶାରେ ସମ୍ବଳ ଓ ସାମର୍ଥ୍ୟବାନ ଲୋକ ମାନଙ୍କର ଅଭାବ ନ ଥିଲେ ସୁଦ୍ଧା ଓଡିଶାର ବିକାଶ ହୋଇ ପାରି ନାହିଁ କାରଣ ଗତ ୧୯ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ସରକାରର ନୀତି ଓ ନିୟତ ଠିକ ନାହିଁ । ବିଜେଡି ସରକାର ବିକାଶ ଉପରେ ରୋକ ଲଗାଇ ବସିଛି । ତେଣୁ ଓଡିଶାର ଭଲ ପାଇଁ ରାଜ୍ୟର ଜନସାଧାରଣ ଏଥର ଏହି ସରକାରକୁ ବଦଳାଇବା ସହ ଦେଶରେ ମଜବୁତ ସରକାର ଗଠନ ପାଇଁ ମତଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସୁନ୍ଦରଗଡରେ ଏକ ବିଶାଳ ଜନସଭାରେ ସମ୍ବୋଧନ କରି ସେ ଏହା କହିଛନ୍ତି । ରାଜ୍ୟ ସରକାରଙ୍କର ନୀତି ଓ ନୀୟତ ଠିକ ନାହିଁ । ଯଦି ବିଜେଡିର ସରକାରଙ୍କର ନୀତି ଓ ନିୟତ ଠିକ ଥାଆନ୍ତା ତା ହେଲେ ରାଜ୍ୟର ଚାଷୀଙ୍କୁ କେନ୍ଦ୍ର ସରକାର ଦ୍ୱାରା ନିର୍ଧାରଣ କରା ଯାଇଥିବା ଏମଏସପି ମିଳି ଥାନ୍ତା । ଯଦି ବିଜେଡିର ସରକାରଙ୍କର ନୀତି ଓ ନିୟତ ଠିକ ଥାଆନ୍ତା ତେବେ ରାଜ୍ୟର ଲୋକ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ପାଂଚ ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳନ୍ତା । । ଯଦି ବିଜେଡିର ସରକାରଙ୍କର ନୀତି ଓ ନିୟତ ଠିକ ଥାଆନ୍ତା ତେବେ ଏମସିଏଲ କୋଲ କରିଡରର କାମ ଅଟକନ୍ତା ନାହିଁ । ଖଣିଜ ରୟାଲଟିରୁ ମିଳୁଥିବା ଅର୍ଥରୁ ସ୍କୁଲ ଓ ହସପିଟାଲ ନିର୍ମାଣ କରି ଥାନ୍ତା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୯ର ନିର୍ବାଚନ ଓଡିଶା ଓ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ରାଜ୍ୟର ଜନସାଧାରଣଙ୍କୁ ଏହି ଅବସରରେ ସ୍ଥିର କରିବାକୁ ପଡିବ ଯେ ଓଡିଶା ଓ କେନ୍ଦ୍ରରେ ଦୁର୍ନୀତିମୁକ୍ତ ଓ ନିଷ୍ପତି ନେଇ ପାରୁଥିବା ସରକାର ଆବଶ୍ୟକ ନା ଦୁର୍ନୀତିଗ୍ରସ୍ତ ଓ ନିଷ୍ପତି ନେଇ ପାରୁ ନ ଥିବା ସରକାର ଆବଶ୍ୟକ । ସବକା ସାଥ ସବକା ବିକାଶ କରୁଥିବା ସରକାର ଦରକାର ନା ବଂଶବାଦ, ଭାଇ-ଭତିଜାବାଦ ବିଶିଷ୍ଟ ସରକାର ଦରକାର । ସେ କହିଛନ୍ତି ଯେ ଅନେକ ଦଶକ ଧରି କେନ୍ଦ୍ରରେ କଂଗ୍ରେସ ସରକାରର କାମ ଦେଖିଛନ୍ତି । ଗତ ୧୯ ବର୍ଷ ଧରି ରାଜ୍ୟରେ ଲୋକ ମାନେ ବିଜେଡି ସରକାରକୁ ଦେଖିଛନ୍ତି । ଏମାନଙ୍କର ତୁଳନାରେ ବିଜେପିର କେନ୍ଦ୍ରରେ ଥିବା ପାଂଚ ବର୍ଷର ସରକାରର କାମ ମଧା ଲୋକ ମାନଙ୍କ ସାମନାରେ ରହିଛି । ବର୍ତମାନ ଏହି ଆଧାରରେ ରାଜ୍ୟର ଜନତାଙ୍କୁ କିପରି ସରକାର ଦରକାର ତାହା ସ୍ଥିର କରିବେ । ସେ ବିଜେପିର ୩୯ ତମ ସ୍ଥାପନା ଦିବସ ଅବସରରେ ପାର୍ଟିର ୧୧ କୋଟି୍ କାର୍ଯ୍ୟକର୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।