ପଞ୍ଜାବରେ ବଢୁଛି ବିଜେପିର ଶକ୍ତି : ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ଭାଇ ଧରିଲେ ପଦ୍ମ

Jan 12, 2022 - 09:28
 54
ପଞ୍ଜାବରେ ବଢୁଛି ବିଜେପିର ଶକ୍ତି : ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ଭାଇ ଧରିଲେ ପଦ୍ମ
ଚଣ୍ଡିଗଡ, ୧୨/୦୧: ନିର୍ବାଚନ ତାରିଖ ଘୋଷଣା ହେଲା ପରେ ପଞ୍ଜାବରେ ରାଜନୈତିକ ତାତି ବଢିବାରେ ଲାଗିଛି । ବିଭିନ୍ନ ଦଳର ତୁଙ୍ଗ ନେତା ଦଳ ବଦଳ ଆରମ୍ଭ କରିଦେଇଛନ୍ତି । ଟିକେଟ୍ ନ ମିଳିବା ହେଉ କିମ୍ବା ଅନ୍ୟ କାରଣ ପାଇଁ, ସେମାନେ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହାମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କ ଦାଦା ପୁଅ ଭାଇ ଜସବିନ୍ଦର ସିଂ ଧାଲିଓ୍ୱାଲ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଜସବିନ୍ଦରଙ୍କୁ ବିଜେପିରେ ସ୍ୱାଗତ କରିଛନ୍ତି । ପଞ୍ଜାବ ବିଜେପିର ମହାସଚିବ ଜୀବନ ଗୁପ୍ତା କହିଛନ୍ତି ଯେ, ଲଖବିନ୍ଦର କୌର ଗରଚା, ବେଅନ୍ତ ସିଂ, ଅମନଦୀପ ସିଂ, ଗୁରୁପ୍ରକାଶ ସିଂ ଓ ପୁରଣ ଚନ୍ଦ ଆଦି ନେତା ପଦ୍ମ ଧରିଛନ୍ତି । ଆହୁରି ମଧ୍ୟ ଅନେକ ନେତା ଓ କର୍ମୀ ବିଜେପି ଶିବିରରେ ସାମିଲ ହୋଇଛନ୍ତି । ଏହି ସବୁ ନେତା ଆଗାମୀ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ସେ କହିଛନ୍ତି । ନିକଟରେ ଉତ୍ତରପ୍ରଦେଶରେ ଜଣେ ମନ୍ତ୍ରୀ ଓ ୪ ବିଜେପି ବିଧାୟକ ଦଳ ଛାଡିଥିଲେ । ସେମାନେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । କେବଳ ଏତିକି ନୁହେଁ, ଆଉ ଜଣେ ସ୍ୱାଧିନ ବିଧାୟକ ମଧ୍ୟ ୟୁପି ବିଧାନସଭାରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ସେହିପରି ବିଜେପି ନେତା ମାଇକେଲ୍ ଲୋବୋ ମଙ୍ଗଳବାର କଂଗ୍ରେସରେ ସାମିଲ ହୋଇଥିଲେ । ସେ ଗୋଆ କ୍ୟାବିନେଟରୁ ଇସ୍ତଫା ଦେଲା ପରେ ବିଜେପିରୁ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ ।