ପ୍ରଧାନମନ୍ତ୍ରୀଙ୍କ ସଭାରେ ଅନୁପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୩/୧(ସକାଳଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିର୍ବାଚନ ବର୍ଷରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାବେଳେ ମାତ୍ର ୧୨ ଦିନରେ ଓଡ଼ିଶାକୁ ଏହା ଦ୍ୱିତୀୟ ଗସ୍ତ । ୫ ତାରିଖରେ ପ୍ରଧାନମନ୍ତ୍ରୀ ଉତ୍ତର ଓଡ଼ିଶା ଗସ୍ତ କରିବେ । ଏହି ଅବସରରେ ମୋଦୀ କେତେକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ବିଜେପି ବିବେଚନା କରିଛି । ରାଜ୍ୟକୁ ପୂର୍ବ ଭାରତର ପ୍ରବେଶ ଦ୍ୱାର ଭାବେ ଦଳ ଗ୍ରହଣ କରିଛି । ଏହି କାରଣରୁ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ୫୧୩ କି.ମି ବିଶିଷ୍ଟ ପାରାଦ୍ୱୀପ- ହଳଦିଆ- ଦୁର୍ଗାପୁର ଏଲପିଜି ପାଇପଲାଇନର ବାଲେଶ୍ୱର- ହଳଦିଆ- ଦୁର୍ଗାପୁର ଖଣ୍ଡର ଶିଳାନ୍ୟାସ କରିବେ । ଏଥିପାଇଁ ୧୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିସହ ରିମୁଳି - କୋଇଡ଼ା, କୋଇଡ଼ା - ରାଜାମୁଣ୍ଡା, ସିଙ୍ଗଡ଼ା- ବିଂଜବାହାଲ ୪ ଥାକିଆ ରାସ୍ତାର ଶୁଭାରମ୍ଭ କରିବେ । ଏହି ରାସ୍ତା ପ୍ରକଳ୍ପ ପାଇଁ ୩୩୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ରାସ୍ତା ଦ୍ୱାରା ଖଣିଖାଦାନ ଭରା ଉତ୍ତର - ପଶ୍ଚିମ ଓ ବନ୍ଦର ସହରାଞ୍ଚଳ ମଧ୍ୟରେ ଯୋଗାଯୋଗ ସୁଗମ ହୋଇପାରିବ । ଏଥିସହ ଆସ୍କା, ଭଦ୍ରକ, କଟକ, ଢେ଼ଙ୍କାନାଳ, ଯାଜପୁର ଓ କେନ୍ଦୁଝରରେ ଡ଼ାକଘରେ ପାସପୋର୍ଟ ସେବା ପ୍ରଚଳନର ଶୁଭାରମ୍ଭ କରିବେ । ମୟୂରଭଞ୍ଜର ଭଞ୍ଜ ରାଜବଂଶର ପ୍ରାଚୀନ ଦୁର୍ଗ ହରିପୁରଗଡ଼ ଓ ରସିକରାୟ ମନ୍ଦିର ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ରହିନପାରନ୍ତି ବୋଲି ଜଣାପଡ଼ିଛି । ଏହି ଦିନ ବିଜେଡ଼ି ପକ୍ଷରୁ ପୁରୀଠାରେ ରାଜ୍ୟସ୍ତରୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶ ଅନୁଷ୍ଠିତ ହେବ । ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଏକାନ୍ତ ଆବଶ୍ୟକ । ଏହା ଦଳୀୟ ସମାବେଶ ହୋଇଥିବା ଦୃଷ୍ଟିରୁ ବିଜେଡ଼ି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ଏହି ସଭାରେ ଉପସ୍ଥିତ ରହିବେ, ଯାହା ଦଳ ପାଇଁ ଆଗାମୀ ନିର୍ବାଚନରେ ସହାୟକ ହେବ । ତେଣୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଔପଚାରିକତା ସଂପନ୍ନ କରି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସରକାରୀ ସଭାରୁ ଦୂରେଇ ରହିବେ ବୋଲି ଜଣାପଡ଼ିଛି । ଉକ୍ତ ଦିନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ଦଳୀୟ ସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ସଭାରେ ପ୍ରଧନମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରତି କିପ୍ରକାର ରାଜନୈତିକ ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଲକ୍ଷ୍ୟ କରିବାର ବିଷୟ ।