ମୟୂରଭଞ୍ଜରେ ୪ ପ୍ରମୁଖ ଦଳରେ ଅଡ଼ୁଆ ବଢ଼ିବଢ଼ି ଚାଲିଛି

Oct 6, 2018 - 18:18
 625
ମୟୂରଭଞ୍ଜରେ ୪ ପ୍ରମୁଖ ଦଳରେ ଅଡ଼ୁଆ ବଢ଼ିବଢ଼ି ଚାଲିଛି
ବାରିପଦା, ୬/୧୦ (ସକାଳଖବର): ପଢ଼ାପଢ଼ିର ସମୟ ଶେଷ ହେବାକୁ ବସିଥିବା ବେଳର ଆରମ୍ଭ ହୋଇଛି ଭିଡ଼ାଭିଡ଼ି କାର୍ଯ୍ୟକ୍ରମ । ହାତ ଗଣତି କେତୋଟି ଦିନ ପରେ ଏହି ପ୍ରମୁଖ ଦଳ ଦେବେ ଅଗ୍ନି ପରୀକ୍ଷା । ପରୀକ୍ଷାରେ ସର୍ବଶ୍ରେଷ୍ଠ ହେବା ପାଇଁ ମୟୂରଭଞ୍ଜ ଜିଲ୍ଲାର ୪ ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କ କଷା । ୨୦୧୯ ସାଧାରଣ ନିର୍ବାଚନରେ କିଏ ହେବ ପଥମ, ଦ୍ୱିତୀୟ ଓ ତୃତୀୟ ତାହାକୁ ନେଇ ଜିଲ୍ଲାରେ ଶାସକ ବିଜଦ, ଭାଜପା, ଝାମୁମୋ ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇସାରିଛି ପ୍ରତିଦ୍ୱନ୍ଦିତା । ମୁଖ୍ୟତଃ ପ୍ରଥମ ସ୍ଥାନକୁ ଦଖଲ କରିବା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଜିଲ୍ଲାରେ ପ୍ରଥମ ସ୍ଥାନରେ ପୁଣି ଥରେ ରହିବା ନିମନ୍ତେ ବିଜଦ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ବେଳେ ଭାଜପା ବିଜଦକୁ ଏହିସ୍ଥାନରୁ ହଟାଇ ନିଜେ ଦଖଲ କରିବା ନିମନ୍ତେ ପ୍ରତିଦ୍ୱନ୍ଦିତା ଆରମ୍ଭ କରିସାରିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସେମିଫାଇନାଲରେ ମୟୂରଭଞ୍ଜ ଜିଲ୍ଲା ପରିଷଦର ୫୬ଟି ଆସନ ମଧ୍ୟରୁ ଏକାକୀ ୪୫.୩୨ ପ୍ରତିଶତ ହାରରେ ୫,୭୩,୨୮୭ ଭୋଟରମାନଙ୍କ ସମର୍ଥନ ପାଇ ୪୯ ଆସନ ସହିତ ଜିଲ୍ଲାରେ ୨୬ଟି ବ୍ଲକ ମଧ୍ୟରୁ ୭ ବ୍ଲକ ଦଖଲ କରି ନିଜ ଦକ୍ଷତା ପ୍ରତିପାଦିତ କରାଇସାରିଛି । ଉକ୍ତ ସେମିଫାଇନାଲରେ ବିଜଦ ୨୯.୭୫ ପ୍ରତିଶତ ହାରରେ ମୋଟ ୩,୭୬,୪୧୬ ଭୋଟରଙ୍କ ସମର୍ଥନ ହାସଲ କରି ୫ଟି ଆସନ ଦଖଲ କରି ଦ୍ୱିତୀୟ, ଝାମୁମୋ ୧୦.୩୬ ପ୍ରତିଶତ ହାରରେ ମୋଟ ୧,୩୧,୦୫୯ ଭୋଟରଙ୍କ ସମର୍ଥନ ନେଇ ଗୋଟାଏ ଆସନ ଜିଣି ତୃତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ୭.୬୮ ପ୍ରତିଶତ ହାରରେ ୯୭,୧୪୪ ଭୋଟରଙ୍କ ସମର୍ଥନ ପାଇ ଓ ନିଜର ଖାତା ଖୋଲି ନ ପାରି ଚତୃର୍ଥ ସ୍ଥାନରେ ରହିଥିଲେ । ସେହିପରି ବିଜଦ ବିରୋଧୀ ସାରକଣା ବ୍ଲକର ୫୬ନଂ ଜୋନରେ ୫୮.୭୬ ପ୍ରତିଶତ ହାରରେ ୧୬,୨୫୭ ମତଦାତାଙ୍କ ସମର୍ଥନ ହାସଲ କରି ବିଜୟୀ ହୋଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜଦ ୫୮.୬୩ ପ୍ରତିଶତ ହାରରେ ମୋଟ ୪,୪୭,୦୪୪ ଭୋଟରଙ୍କ ସମର୍ଥନ ନେଇ ଜିଲ୍ଲାର ସମସ୍ତ ୯ଟି ଅସନ ଦଖଲକୁ ନେଇ ୧ନଂ ସ୍ଥାନରେ ରହିଥିବା ବେଳେ ବିଧାନସଭାରେ ଭାଜପା ୨୨.୬୧ ପ୍ରତିଶତ ହାରରେ ୨,୯୬,୫୩୬ ପାଇ ଦ୍ୱିତୀୟ , କଂଗ୍ରେସ ୧୫.୨୬ ପ୍ରତିଶତ ହାରରେ ୨,୦୦,୧୪୪ ଭୋଟ ପାଇ ତୃତୀୟ ଓ ଝାମୁମୋ ୧୪.୯୨ ପ୍ରତିଶତ ହାରରେ ୧,୭୫,୬୫୩ ଭୋଟ ପାଇ ଚତୃର୍ଥ, ସ୍ଥାନରେ ସନ୍ତୋଷ୍ଟ ହୋଇଥିଲେ । ସେହିପରି ଲୋକସଭାରେ ବିଜଦକୁ ୩୭.୩୮ ପ୍ରତିଶତ, ଭାଜପାକୁ ୨୫.୭୨ ପ୍ରତିଶତ, ଝାମୁମୋକୁ ୧୬.୪୨ ପ୍ରତିଶତ, ଓ କଂଗ୍ରେସକୁ ୧୩.୫ ପ୍ରତିଶତ ଭୋଟ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନର ଫାଇନାଲ ମ୍ୟାଚର ବିଗୁଲୁ ବାଜିବାକୁ ଯାଉଥିବା ବେଳେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସେମିଫାଇନାଲର ଫଳାଫଳ ଜିଲ୍ଲାରେ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବଡ଼ ପରିବର୍ତ୍ତନର ବାର୍ତ୍ତା ଦେଇଛି । ଫଳରେ ଭାଜପାର ଫାଇନାଲ ମ୍ୟାଚ ଜିଣି ୧ନଂ ସ୍ଥାନ ଅଧିକାର କରିବାର ସମ୍ଭାବନା ସୃଷ୍ଟି କରାଉଥିବାରୁ ବିଜଦ ଶିବିରରେ ହୃତକମ୍ପ ସୃଷ୍ଟି କରାଇ ଦେଇଛି । ବିଜଦର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ମୟରଭଞ୍ଜ ଜିଲ୍ଲାରେ ବିଜଦର ରାଜନୈତିକ ସ୍ଥିତାବସ୍ଥା ସହିତ ନିଜସ୍ୱ ଗୁଇନ୍ଦା ରିପୋର୍ଟକୁ ତର୍ଜମା କରି ବିଚଳିତ ହୋଇପଡ଼ିଛନ୍ତି । ତେଣୁ ମୟୂରଭଞ୍ଜରେ ବିଜଦର ଦୁର୍ଗକୁ ରକ୍ଷା କରିବା ପାଇଁ ବିଭିନ୍ନ ରଣ କୌଶଳ ଓ ସମରସଜ୍ଜା ଅଅରମ୍ଭ କରିଦେଇଛନ୍ତି । ଜିଲାରେ ପର୍ଯ୍ୟବେକ୍ଷକ ଭାବେ ଡ଼ଃ. ଅରୁଣ ସାହୁଙ୍କ ସହିତ ସହ-ପର୍ଯ୍ୟବେକ୍ଷକ ଭାବେ ଅଚୁ୍ୟତ ସାମନ୍ତଙ୍କୁ ନିଯୁକ୍ତି ଦେଇଛନ୍ତି । ମାତ୍ର ବିଜଦ ହାଇକମାଣ୍ଡ ନବୀନ ୨୦୧୯ ରାଜନୈତିକ ମହାସଂଗ୍ରାମରେ ବିଜୟର ବାନା ଉଡ଼ାଇବା ନିମନ୍ତେ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ମାଧ୍ୟମରେ ଏକ ଚକ୍ରବୁ୍ୟହ ରଚନା କରିଛନ୍ତି । କିନ୍ତୁ ଜିଲ୍ଲାରେ ବିଜଦର ବିଧାୟକ, ନେତା ଓ କର୍ମୀମାନଙ୍କ ଆଚାର ସଂହିତା, କାର୍ଯ୍ୟକଳାପ, ଅହଂକାର ନବୀନଙ୍କ ଚକ୍ରବୁ୍ୟହରେ ଫାଙ୍କ ସୃଷ୍ଟି କରାଇ ଦେଉଛି । ଜିଲ୍ଲାର ରାଇରଙ୍ଗପୁର, ଉଦଳା, ଯଶିପୁର, ବଡ଼ସାହି ଓ କରଞ୍ଜିଆ ବିଧାନସଭା କ୍ଷେତ୍ର ବିଜଦ ହାତରୁ ଖସିଯିବାର ସମ୍ଭାବନା ଅଧିକ ରହିଥିବା ବେଳେ ମୋରଡ଼ା, ସାରସକଣା ଓ ବାଙ୍ଗିରିପୋଷିରେ ବିଜଦର ଗୋଷ୍ଠୀକନ୍ଦଳ ଦଳକୁ ବେକଫୁଟକୁ ଠେଲି ଦେଉଥିବା ବେଳେ ବାରିପଦା ନିର୍ବାଚନ ମଣ୍ଡଳୀରେ ବାରଭାଇଙ୍କ ତେର ଆଖଡ଼ା ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି । ତେବେ ବିରୋଧୀ କଂଗ୍ରେସ, ଝାମୁମୋ ଶିବିର ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଥିବାରୁ ଏହା ବିଜଦ ପାଇଁ ଶଙ୍ଖଚିଲ ଦର୍ଶନ ଭଳି କାର୍ଯ୍ୟକରିବ । ମୟୂରଭଞ୍ଜ ଜିଲ୍ଲାରେ ଭାଜପା ଏକ ନମ୍ବର ସ୍ଥାନରେ ରହିଥିବାର ଦାବି କରୁଥିବା ବେଳେ ଏହା ଦଳୀୟ ନେତାମାନଙ୍କ ନିମନ୍ତେ ମରୁଭୁମିରେ ମରିଚିକା ପଛରେ ଧାଇଁବା ସଦୃଶ୍ୟ । ଜିଲ୍ଲାରେ ଭାଜପାର ସଫଳତା ପଛରେ ବିଜଦ ଓ କଂଗ୍ରେସ ସମର୍ଥକମାନଙ୍କ ହାତ ରହିଥିବାର ରାଜନୈତିକ ବିଶାରଦମାନେ ମତ ଦିଅନ୍ତି । ବିଜଦ ଓ କଂଗ୍ରେସର ଗୋଷ୍ଠୀକନ୍ଦଳ ଭାଜପାକୁ ଫାଇଦା ପହଁଞ୍ଚାଉଛି । ବିଦ୍ରୋହୀମାନେ ଭାଜପାକୁ ବିକଳ୍ପ ଭାବେ ଗ୍ରହଣ କରିନେଇଥିବାରୁ ଭାଜପା ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିପାରିଥିଲା । ବର୍ତ୍ତମାନ କଂଗ୍ରେସ ସେନାର ସେନାପତି ଦାୟିତ୍ୱ ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଆସିଥିବାରୁ କଂଗ୍ରେସ ଶିବିର ପୂର୍ବଠାରୁ ଅଧିକ ଶକ୍ତିଶାଳୀ ହୋଇସାରିଛି । ୨୦୧୯ରେ କଂଗ୍ରେସ ଜିଲ୍ଲାରେ ଚତୃର୍ଥ ମହାଶକ୍ତି ଭାବେ କାର୍ଯ୍ୟକରିବ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜଦ ଓ ଭାଜପାକୁ ଟକ୍କର ଦେବାର ସମ୍ଭାବନା ରହିଛି । ସେହିପରି ଝାମୁମୋ ଶିବିରରେ ଶିବୁ ସୋରେନଙ୍କ କନ୍ୟାଙ୍କ ଆବିର୍ଭାବ ବିରୋଧୀଙ୍କୁ ଭାରି ପଡ଼ିବ । ୨୦୧୪ ସାଧାରଣ ନିର୍ବାଚନ କୁରୁକ୍ଷେତ୍ରରେ ରଣଭେରୀ ବାଜିସାରିଥିବା ବେଳେ ଝାମୁମୋ ସହିତ ବିଶ୍ୱାସଘାତକତା କରି ତକ୍ରାଳୀନ ଦଳର ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡି ଜିଲ୍ଲା ସଭାପତି ଭାଦବ ହାଁସଦାଃ, ମୁଖପାତ୍ର କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀମାନଙ୍କୁ ଧରି ବିଜଦରେ ସାମିଲ ହୋଇଥିଲେ ମଧ୍ୟ ନିର୍ବାଚନୀ ଫଳାଫଳ ଝାମୁମୋର ପକେଟ ଭୋଟରେ କୌଣସି ପରିବର୍ତ୍ତନର ଛାପ ପାକାଇ ପାରି ନ ଥିଲା । ପରନ୍ତୁ ଝାମୁମୋ ଅଧିକ ଶକ୍ତିଶାଳୀ ହୋଇ ଶାସକ ଦଳକୁ ଜିଲ୍ଲାରେ ବିଭିନ୍ନ ଦିଗରୁ ସଣ୍ଡୁଆସୀ ଆକ୍ରମଣ କରିଆସୁଛି । ୨୦୧୯ରେ ଝାମୁମୋ ସାରସକଣା, ଯଶିପୁର ନିର୍ବାଚନ ମଣ୍ଡଳୀରେ ଏକ ବିପର୍ଯ୍ୟୟ ସୃଷ୍ଟି କରାଇବାକୁ ଯାଉଥିବା ବେଳେ ଅବଶିଷ୍ଟ ୭ଟି ନିର୍ବାଚନ ମଣ୍ଡଳୀରେ ତୃତୀୟ ମହାଶକ୍ତଭାବେ ବିରୋଧୀଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇସାରିଛି । ପୁଣି କଂଗ୍ରେସ ଓ ଝାମୁମୋ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଅଧିକ ରହିଥିବାରୁ ଏହା ଉଭୟ ବିଜଦ ଓ ଭାଜପା ନିମନ୍ତେ ବିପଦର କାରଣ ପାଲଟିବ । ଜିଲ୍ଲାରେ ବେକାରୀ ସମସ୍ୟା, ଚାରାଘୋଟାଲା, ଆର୍ବାନବ୍ୟାଙ୍କ, ଦୁର୍ନୀତି, ବିଜଦର ବିଧାୟକମାନଙ୍କ ଅପାରଗତା, ଭାଜପା ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ, ମୂଲ୍ୟବୃଦ୍ଧି, ଅଚ୍ଛେଦିନ, ବିମୂଦ୍ରାକରଣ, ରାଫେଲ ଦୁର୍ନୀତି ଆଦିକୁ ରାଜନୈତିକ ଇସୁ୍ୟ କରି ଉଭୟ ବିଜଦ ଓ ଭାଜପାକୁ ଘେରିବା ନିମନ୍ତେ ଭୋଟରମାନଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିବା ପାଇଁ ଉଦ୍ୟମ ଚଳାଇବ । ଜିଲ୍ଲାରେ ରାଜନୈତିକ ଦୃଶ୍ୟପଟ୍ଟ ଏହି ପ୍ରକାରର ରହିଥିବା ବେଳେ ୪ ପ୍ରମୁଖ ଦଳ ନିମନ୍ତେ ପ୍ରଧାନ ସମସ୍ୟା ପାଲଟିଯାଇଛି ଦଳବଦଳ ସ୍କିମ । ଭାଜପା, ବିଜଦ, ଝାମୁମୋ ଓ କଂଗ୍ରେସ ଶିବିରରେ ଡ଼ିଆଁଡେ଼ଇଁ ପାଲା ସହିତ ଭାଜପା, ବିଜଦ ଓ କଂଗ୍ରେସରେ ରହିଥିବା ଗୋଷ୍ଠୀକନ୍ଦଳ ଦଳପାଇଁ ମୁଖ୍ୟ ସମସ୍ୟା ପାଲଟିଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳରେ ନେତା ଓ କର୍ମୀମାନଙ୍କର ପଟ୍ଟ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ ରହିଥିବା ବେଳେ ବିଜଦ ଶିବିରରେ ଅଧିକାଂଶ ନୂଆ ଚେହେରା ଆବିର୍ଭାବ ଘଟିବାକୁ ଯାଉଛି ।