ଜିଲ୍ଲା ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଦଳରୁ ନିଲମ୍ବିତ

Jan 3, 2019 - 14:37
 144
ବାରିପଦା, ୧/୧(ସକାଳଖବର): ସୋମବାର ବିଳମ୍ବିତ ରାତିରେ ବାରିପଦା ସ୍ଥିତ ଜିଲ୍ଲା ବିଜେଡ଼ି କାର୍ୟ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା ଘଟଣାରେ ଆଜି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ଜିଲ୍ଲା ଛାତ୍ର ବିଜେଡ଼ିର ସାଧାରଣ ସମ୍ପାଦକ ଦେବଜିତ ପଟ୍ଟନାୟକ ଓ ଦଳୀୟ କର୍ମୀ ଚିନ୍ମୟ ଦାଶ । ଘଟଣାରେ ଜଡ଼ିତ ତାଙ୍କର ଅନ୍ୟ କେତେକ ସହଯୋଗୀ ପୋଲିସର ଗିରଫଦାରୀ ଭୟରେ ଫେରାର୍ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ଦେବଜିତଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ ଜିଲ୍ଲା ଛାତ୍ର ବିଜେଡ଼ିର ସଭାପତି ଅଭୟ ସିଂ ଏକ ପ୍ରେସ୍ ଇସ୍ତାହାର ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଦେବଜିତ ଓ ଚିନ୍ମୟଙ୍କ ସମେତ ତାଙ୍କର କେତେକ ସହଯୋଗୀ ଗତକାଲି ବିଳମ୍ବିତ ରାତିରେ ବିଜେଡ଼ି ଜିଲ୍ଲା କାର୍ୟ୍ୟାଳୟ ମଧ୍ୟକୁ ଧଶେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେମାନେ କାର୍ୟ୍ୟାଳୟରେ ଲଗାଯାଇଥିବା ଏସି, ଏଲସିଡ଼ି ଟିଭି ଏବଂ ଚେୟାର୍ ଟେବୁଲ୍ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏହା ପରେ ଯୁବ ବିଜେଡ଼ିର ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଘର ନିକଟକୁ ଯାଇ ଘର ଉପରକୁ ଢେ଼ଲା, ପଥର ମାଡ କରିଥିଲେ । ଘର ବାହାରେ ରଖାଯାଇଥିବା ସ୍କର୍ପିଓ ଗାଡି ଭଙ୍ଗାରୁଜା କରିଥିଲେ । ଏନେଇ ବିଜେଡ଼ି କାର୍ୟ୍ୟାଳୟର ସମ୍ପାଦକ ଶୈଳେନ୍ଦ୍ର ପାତ୍ର ଓ ଜିତେନ୍ଦ୍ର ମହାନ୍ତିଙ୍କ ଭାଇ ବିଶ୍ୱନାଥ ମହାନ୍ତି ବାରିପଦା ଟାଉନ୍ ଥାନାରେ ପୃଥକ୍ ପୃଥକ୍ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଥିଲା । ଏ ସଂକ୍ରାନ୍ତରେ ୧/୨୦୧୯ ଓ ୨/୨୦୧୯ ରେ ଦୁଇଟି ମାମଲା ରୁଜୁ କରିବା ସହ ଦେବଜିତ ଓ ଚିନ୍ମୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ସୂଚନା ମିଳିଛି ।