ରାଜ୍ୟ ସରକାରଙ୍କ କୁମ୍ଭୀର କାନ୍ଦଣାର ଅସଲ ମୁଖା ପଦାରେ ପଡିଛିି: ବିଜେପି
ଭୁବନେଶ୍ୱର, ୧୩/୨(ସକାଳଖବର): ମୋଦି ସରକାର ଦେଉଥିବା ଅନୁଦାନକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାଁନ୍ତି । ରାଜ୍ୟ ସରକାରଙ୍କ ସ୍ଥାଣୁତା ଏବଂ ଅପାରଗତା ଯୋଗୁଁ ଲକ୍ଷ ଲକ୍ଷ ଓଡିଆ ଅନେକ ଜନହିତକର ଯୋଜାନରୁ ବଂଚିତ ରହୁଛନ୍ତି । ସେହିପରି ଗ୍ରାମାଚଂଳରେ ପାନୀୟ ଜଳ ଯୋଗାଣ, ସଡକ, ଆଲୋକୀକରଣ ପାଇଁ ଆସିଥିବା କୋଟି କୋଟି ଅର୍ଥ ଖର୍ଚ୍ଚ ହୋଇପାରୁନି । ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟସରକାର ସବୁ ସମୟରେ କେନ୍ଦ୍ରକୁ ଦାୟୀ କରି କୁମ୍ଭୀର କାନ୍ଦଣା କାନ୍ଦିବାର ଅସଲ ମୁଖା ଆଜି ପଦାରେ ପଡିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥ କମିଶନ ପାଣ୍ଠିର ମାତ୍ର ୨୮ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି । ସେହିପରି ପଂଚାୟତିରାଜ ବିଭାଗର ତଥ୍ୟ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଓପନିଂ ବାଲାନ୍ସ, ଅନୁଦାନ ଓ ସୁଧା ବାବଦରେ ୧୨ ଶହ ୭୮ କୋଟି ୩ ଲକ୍ଷ ୧୦ ହଜାର ଟଙ୍କା ଅନୁଦାନ ମିଳିଥିବାବେଳେ ନଭେମ୍ବର ସୁଦ୍ଧା ୩୫୫ କୋଟି ୨୨ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟପଟେ ୮ ମାସ ପରେ ବି ୩୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ ବି ଜିଲ୍ଲା ବିନିଯୋଗ ପ୍ରମାଣ ପତ୍ର ଦେଇନାହାଁନ୍ତି । ବାଲେଶ୍ୱର, ନୟାଗଡ ଓ ରାୟଗଡା ଜିଲ୍ଲାରେ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇ ପାରିନି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ପଂଚାୟତିରାଜ ବିଭାଗ ପୂରା ସ୍ଥାଣୁ ପାଲଟିଯାଇଛି । ଭିତଭୂମିର ବିକାଶ, ସଡକ, ପାନୀୟ ଜଳ, ବିଦୁ୍ୟତ ଆଦି ଅନେକ କାର୍ଯ୍ୟର ଦାୟୀତ୍ୱ ନେଇଥିବା ପଂଚାୟତି ବିଭାଗ ଅର୍ଥ ଖର୍ଚ୍ଚ କରିପାରୁନଥିବାରୁ ସ୍ପଷ୍ଟ ହେଉଛି କି, ରାଜ୍ୟସରକାର କେବଳ ମିଥ୍ୟା ପ୍ରଚାର କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । ଆମ ଗାଁ ଆମ ବିକାଶ, ପିଠା, କାଳିଆ ଆଦି ସମସ୍ତ ଯୋଜନା କେବଳ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କରାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।