ପ୍ରଧାନ ମନ୍ତ୍ରୀ ଛତିଶଗଡର ଭୁଲ ସ୍ୱୀକାର କରନ୍ତୁ : ନିରଞ୍ଜନ

May 24, 2018 - 05:36
 160
ପ୍ରଧାନ ମନ୍ତ୍ରୀ ଛତିଶଗଡର ଭୁଲ ସ୍ୱୀକାର କରନ୍ତୁ : ନିରଞ୍ଜନ
ଭୁବନେଶ୍ୱର, ୨୩ ମେ, ୨୦୧୮; ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବୀ କରିଛନ୍ତି ଯେ ଛତିଶଗଡର ଏକତରଫା ଓ ବେନିୟମ କାମକୁ ପ୍ରଧାନ ମନ୍ତ୍ରୀ ସ୍ୱୀକାର କରନ୍ତୁ ଓ ସେଥିପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ । “ପ୍ରଧାନ ମନ୍ତ୍ରୀ କଟକ ଆସୁଥିବା ଆନନ୍ଦର ବିଷୟ, କିନ୍ତୁ ରାଜ୍ୟ ବାସୀଙ୍କ ଆଶା ଯେ ପ୍ରଧାନ ମନ୍ତ୍ରୀ ଏହି ଅବସରରେ ମହାନଦୀ ବିଷୟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ । ମହାନଦୀ ଉଜୁଡି ଗଲେ ରାଜ୍ୟ ଉଜୁଡି ଯିବ । ଲୋକଙ୍କ ମନରେ ଯେଉଁ ଆଶଙ୍କା ଓ ଭୟ ସୃଷ୍ଟି ହୋଇଛି ତାର ନିରାକାର ପାଇଁ ପ୍ରଧାନ ମନ୍ତ୍ରୀ ପଦକ୍ଷେପ ନେବା ଆବଶ୍ୟକ । ମହାନଦୀ କେବଳ ଛତିଶଗଡର ନଦୀ ନୁହେଁ । ଓଡିଶାକୁ ନଜଣାଇ ଓ କୌଣସି ଅନୁମତି ନଥାଇ ଛତିଶଗଡ ବେନିୟମ କାମ କରିଛି । ଗଲା ଚାରି ବର୍ଷ ହେଲାଣି ଏହା ଦୃଷ୍ଟିକୁ ଆସିଲାଣି । କିନ୍ତୁ ପ୍ରଧାନମନ୍ତ୍ରୀ ସବୁ ଜାଣି ମଧ୍ୟ ଧୃତରାଷ୍ଟ୍ର ସାଜିଛନ୍ତି ଓ ମହାଭାରତକୁ ଅପେକ୍ଷା କରିଛନ୍ତି ।” “ପ୍ରଧାନ ମନ୍ତ୍ରୀ କେବଳ ବିଜେପିର ନେତା ନୁହଁନ୍ତି, ଦେଶର ପ୍ରଧାନ ମନ୍ତ୍ରୀ । ସେ ରାଜନୈତିକ ସ୍ୱାର୍ଥର ଉର୍ଦ୍ଧକୁ ଯାଇ ଓଡିଶାର ସ୍ୱାର୍ଥକୁ ସୁରକ୍ଷିତ କରିବାକୁ ଠୋସ ପଦକ୍ଷେପ ନିଅନ୍ତୁ । ବେନିୟମ ଭାବେ, ଘରୋଇ କମ୍ପାନୀଙ୍କ ପଇସାରେ ବନ୍ଧ ବାନ୍ଧି, ମହାନଦୀକୁ ଏକତରଫା ବିକ୍ରି କରିଦେଇଥିବା ଛତିଶଗଡ ସରକାରଙ୍କୁ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରନାୟକ ଭାବେ ଅଟକାନ୍ତୁ । ଯେଉଁ ପର୍ଯ୍ୟନ୍ତ ଟ୍ରିବୁନାଲର ନିଷ୍ପତି ନଆସିଛି, ସବୁ ନିର୍ମାଣ ବନ୍ଦ ରହିବ ବୋଲି ପ୍ରଧାନ ମନ୍ତ୍ରୀ ଘୋଷଣା କରନ୍ତୁ । ଏହାଛଡା, ସାଙ୍ଗେ ସାଙ୍ଗେ ଅଟକାଇଥିବା ପାଣିକୁ ଛାଡିବାକୁ ଛତିଶଗଡକୁ ନିଦେ୍ର୍ଧଶ ଦିଅନ୍ତୁ, କାରଣ ବର୍ଷା ଆସୁ ଆସୁ ଦୁଇ ମାସ ଲାଗିବ, ଏବେ ଚାରିଆଡେ ହାହା କାର ।” ପ୍ରଧାନ ମନ୍ତ୍ରୀ କଟକ ଆସିବେ, ମହାନଦୀ କୂଳରେ ସଭା କରିବେ, କିନ୍ତୁ ଓଡିଶା ବାସୀଙ୍କ ଦୁଃଖ ଯଦି ନବୁଝିବେ, ତାହେଲେ ଓଡିଶାବାସୀ କେବେବି ତାଙ୍କୁ କ୍ଷମା ଦେବେ ନାହିଁ । “ମୁଁ ଦାବୀ କରୁଛି ଯେ ପ୍ରଧାନ ମନ୍ତ୍ରୀ ରାଜ୍ୟରେ ଜଳସେଚନ ପାଇଁ ଏକ ଲକ୍ଷ କୋଟି ଟଙ୍କାର ସ୍ପେସିଆଲ ପ୍ୟାକେଜ ଘୋଷଣା କରନ୍ତୁ । ଏହାଛଡା ରାଜ୍ୟବାସୀ ପେଟ୍ରୋଲ-ଡିଜେଲ ଦର ବଢିବା ଯୋଗୁଁ କଷ୍ଟରେ ଅଛନ୍ତି । ପ୍ରଧାନ ମନ୍ତ୍ରୀ ଦୟାକରି ତୈଳ ଦର କମାଇବା ଘୋଷଣା କରନ୍ତୁ । ଅତୀତରେ ପ୍ରଧାନମନ୍ତ୍ରୀ ଓଡିଶା ଆସି କାଳିଆର ନାଁ ନେଇ, ଲିଙ୍ଗରାଜଙ୍କୁ ପୂଜା କରି, ବକ୍ସି ଜଗବନ୍ଧୁଙ୍କ ନାଁ ନେଇ ଓଡିଶା ବାସୀଙ୍କୁ ନାନା ଜୁମଲା ଦେଖାଇଛନ୍ତି । ଏଥର ରାଜ୍ୟ ପାଇଁ ବିଶେଷ ପ୍ୟାକେଜ ଦିଅନ୍ତୁ ଏବଂ ଠୋସ କଣ କରିଛନ୍ତି ଓ କରିବେ ତାହା କୁହନ୍ତୁ ।