ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ସହ ଅଘଟଣ, ଏଥର ମହିଳାଙ୍କ ଉପରେ ମାଡ଼ି ଗଲା

Nov 8, 2022 - 13:57
 43
ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ସହ ଅଘଟଣ, ଏଥର ମହିଳାଙ୍କ ଉପରେ ମାଡ଼ି ଗଲା
ଆନନ୍ଦ: ବନ୍ଦେ ଭାରତ ଏକ୍ସପ୍ରେସର ପିଛା ଛାଡ଼ୁନି ଅଘଟଣ। ଏଥର ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ମାଡ଼ି ଯିବାରୁ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇ ଆସୁଥିବା ବେଳେ ଗୁଜରାଟର ଆନନ୍ଦ ରେଳ ଷ୍ଟେସନ ନିକଟରେ ଏପରି ଘଟଣା ଘଟିଛି। ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ୫୪ ବର୍ଷୀୟ ମହିଳା ଜଣଙ୍କ ହେଉଛନ୍ତି ବିଏ ପିଟର। ସେ ଆଜି ଅପରାହ୍ନ ୪.୩୭ରେ ରେଳ ଧାରଣା ପାର ହେଉଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଧକ୍କାରେ ପ୍ରାଣ ହରାଇଛନ୍ତି। ପିଟରଙ୍କ ଘର ଅହମଦାବାଦରେ। ସେ ଆନନ୍ଦରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଲୋକଙ୍କୁ ନେଇ ଗାନ୍ଧିନଗର କ୍ୟାପିଟାଲ ଷ୍ଟେସନରୁ ମୁମ୍ବାଇ ସେଣ୍ଟ୍ରାଲ ଅଭିମୁଖେ ଯାଉଥିଲା। ଆନନ୍ଦରେ ଟ୍ରେନର ହଲ୍ଟ ନଥିଲା। କିନ୍ତୁ ଅଘଟଣ ଯୋଗୁ ଏହା ଆନନ୍ଦ ଷ୍ଟେସନରେ ବେଶ କିଛି ସମୟ ଅଟକି ରହିଥିଲା। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ଏବେ ତା’ର ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୩୦ରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ତେବେ ଚାଲିବା ଦିନଠାରୁ ବନ୍ଦେ ଭାରତ ଏକ୍ସପ୍ରେସ ସହ ଅଘଟଣ ଘଟିବାରେ ଲାଗିଛି। ଗତମାସରେ ଏହି ଟ୍ରେନ ସହ ୩ଥର ଗାଈ ଓ ଷଣ୍ଢ ଧକ୍କା ହେବା ଘଟଣା ସାମ୍ନାକୁ ଆସିଥିଲା। ଆଜି ଜଣେ ମହିଳା ଟ୍ରେନ ଧକ୍କାରେ ବି ପ୍ରାଣ ହରାଇଛନ୍ତି।