ବସ୍ ଧକ୍କାରେ ୩ ହାତୀଙ୍କ ମୃତୁ୍ୟ

Aug 22, 2019 - 18:07
 168
ଘଟଗାଁ, ୨୨/୮(ସକାଳଖବର): କେନ୍ଦୁଝର ଜିଲ୍ଲାରେ ପୁଣି ହାତୀ ମୃତୁ୍ୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ରାସ୍ତା ପାର୍ ହେଉଥିବା ବେଳେ ବସ୍ ଧକ୍କାରେ ଘଟଣାସ୍ଥଳରେ ଦୁଇ ହାତୀଙ୍କର ମୃତୁ୍ୟ ଘଟିଥିଲା । ଦୁର୍ଘଟଣାରେ ଅନ୍ୟ ଏକ ହାତୀ ଗୁରୁତର ହୋଇପଡିଥିଲା । ବନ ବିଭାଗ ପକ୍ଷରୁ ଏହାର ଚିକିତ୍ସା ଚାଲିଥିବା ବେଳେ ଆଜି ମଧ୍ୟାହ୍ନ ସମୟରେ ହାତୀଟିର ମୃତୁ୍ୟ ଘଟିଛି । ଫଳରେ ଏହି ଦୁର୍ଘଟଣାଜନିତ ହାତୀ ମୃତୁ୍ୟ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ବନାଚଂଳ ଅଧିନସ୍ଥ ବାଲିଯୋଡି ଗ୍ରାମ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ୧୦ ଜଣିଆ ହାତୀ ପଲ ୨୦ ନଂ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ରୁ ଅପରପାଶ୍ୱର୍କୁ ଯାଉଥିବା ବେଳେ କଟକରୁ ବଡ଼ବିଲ ଅଭିମୁଖେ ଦୃତ ଗତିରେ ଯାଉଥିବା ଐରାବତ ନାମକ ଏକ ଘରୋଇ ଯାତ୍ରୀବାହି ବସ୍ ଏମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗୋଟିଏ ୧୫ ବର୍ଷିୟା ମାଆ ହାତୀ ଓ ଅନ୍ୟ ଏକ ଦେଢ଼ ବର୍ଷିୟା ଛୁଆ ହାତୀର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଏକ ମାଈ ହାତୀ ଗୁରୁତର ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ତା’ର ମୃତୁ୍ୟ ଘଟିଛି । ଫଳରେ ହାତୀ ମୃତୁ୍ୟ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ବନ ବିଭାଗ କର୍ମଚାରୀ ମାନେ ହାତୀ ମାନଙ୍କର ମୃତଦେହ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦେଇଛନ୍ତି । ତେବେ ତିନୋଟି ଯାକ ମାଈ ହାତୀ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଗାଁ ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍ କୁ ବଡ଼ବିଲର କଳିଙ୍ଗନଗର ପାର୍କିଂରୁ ଜବତ କରିବା ସହ ଏହାର ଡ୍ରାଇଭରକୁ ଗିରଫ କରିଛି । ସେହିପରି ଘଟଣାସ୍ଥଳରୁ ଗୋଟିଏ ଟ୍ରକ୍ ଜବତ କରିବା ସହ ହେଲପର୍ କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।