ପାଟନାଳୀ ଜବରଦଖଲ, ଚାଷ ଜମିରେ ଆଣ୍ଠୁଏ ପାଣି ଯୋଗୁଁ ରାସ୍ତାରୋକ
କେନ୍ଦ୍ରାପଡ଼ା, ୨୩/୮(ସକାଳଖବର): ପାଟନାଳୀ ଜବରଦଖଲ ଚାଷ ଜମିରେ ଆଣ୍ଠୁଏ ପାଣି ଥିବାରୁ ରାସ୍ତାରୋକ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ପଂଚାୟତ ଅନ୍ତର୍ଗତ ଚକଡା, ସୋଭାନପୁର, ଛଘରିଆ, ତୁଣୁପୁର ଓ ବଗଡା ମୈାଜା ଅନ୍ତର୍ଗତ ହଜାରରୁ ଉର୍ଦ୍ଧ ହେକ୍ଟର ଚାଷଜମି ଦୀର୍ଘଦିନ ହେଲା ପାଣିରେ ବୁଡି ରହିଛି । ଅଂଚଳର ଚାଷୀମାନଙ୍କର ଫସଲ ନଷ୍ଟ ହେବା ସହ ଜଳ ନିଷ୍କାସନ ହେଉନଥିବାରୁ ଆଗାମୀ ଫସଲ ପାଇଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ରାସ୍ତାରୋାକ କରାଯାଇଥିଲା । ବଗଡା ପଂଚାୟତ ଅନ୍ତର୍ଗତ ଛଘରିଆ ଓ ଖମରପଡାଠାରେ ଉତ୍ୟେକ୍ତ ଚାଷୀମାନେ ରାଜପଥକୁ ଅବରୋଧ କରି ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳକୁ ଠପ୍ କରିଦେଇଥିଲେ । ଏହି ଅଂଚଳରେ ଥିବା ପାରମ୍ପାରିକ ଜଳ ନିଷ୍କାସନ ପଥକୁ କେତେକ ବ୍ୟକ୍ତି ବନ୍ଧ ପକାଇ ଅବରୋଧ କରିବା ସହ ରାସ୍ତା ନିର୍ମାଣ କରିଛନ୍ତି । ଫଳରେ ବର୍ଷା ଋତୁରେ ବର୍ଷା ଜଳ ନିଷ୍କାସିତ ହୋଇନପାରି ଚାଷ ଜମି ଗୁଡିକୁ ବୁଡାଇ ରଖିଛି । ସ୍ଥାନୀୟ ଚାଷୀମାନେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ । ଖବରପାଇ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଘଟଣାସ୍ଥଳରେ ପହଂଚି ଚାଷୀମାନଙ୍କ ସହିତ ଆଲୋଚନା କରିବାପରେ ଏହି ରାସ୍ତାରୋକ ହଟିଥିଲା । ଜାତୀୟ ରାଜପଥର ଗୋପଛକଠାରୁ ଛଘରିଆ ପର୍ଯ୍ୟନ୍ତ ଥିବା ପାଣି ବାଟକୁ ଅବରୋଧମୁକ୍ତ କରାଯାଇ ଜଳ ନିଷ୍କାସନ ପଥ ଉନ୍ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ଆନେ୍ଦାଳନ ପ୍ରତ୍ୟାହୃତ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ବଗଡା ସରପଂଚଙ୍କ ପ୍ରତିନିଧି କୈଳାସ ପ୍ରଧାନ, ଦିଲ୍ଲୀପ କୁମାର ସାହୁ, ଫକିର ଚରଣ ବାରିକ ଓ ଉମାକାନ୍ତ ପତି ପ୍ରମୁଖ ନେତୃତ୍ୱ ନେଇଥିଲେ ।