ପତ୍ନୀଙ୍କୁ ହତ୍ୟା ପରେ ଅଫିସ୍‌ ଗଲେ

Mar 14, 2023 - 06:11
 32
ପତ୍ନୀଙ୍କୁ ହତ୍ୟା ପରେ ଅଫିସ୍‌ ଗଲେ
ପାଲଘର: ମହାରାଷ୍ଟ୍ରର ପାଲଘରରେ ହତ୍ୟାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ହତ୍ୟା କରିବା ପରେ ଅଫିସ୍‌ ଯାଇ କାମ କରି ଡ୍ୟୁଟି ସରିବା ପରେ ପୁଲିସ୍‌ ଷ୍ଟେସନ୍‌‌ରେ ପହଞ୍ଚି ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ପାଲଘର ଜିଲ୍ଲାର ନାଲାସପୋରାରେ ନିଜ ପତ୍ନୀଙ୍କୁ ଗଳା ଚିପି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇଛି। ପାଲଘର ପୁଲିସ୍‌ ଥାନାର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବ୍ୟକ୍ତିଙ୍କର ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ ଥିଲା। ସେହି କାରଣରୁ ସେ ପତ୍ନୀଙ୍କ ଗଳା ଚିପି ତାଙ୍କର ହତ୍ୟା କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ବ୍ୟକ୍ତି ଜଣକ ସକାଳୁ ସକାଳୁ ନିଜ ପତ୍ନୀଙ୍କ ତଣ୍ଟି ଚିପି ତାଙ୍କ ହତ୍ୟା କଲେ। ତାପରେ ସେ ନିଜ ଅପରାଧକୁ ଲୁଛେଇବାର ପ୍ରୟାସ ବି କରିନାହାନ୍ତି। ପତ୍ନୀଙ୍କ ମୃତଦେହକୁ ସେହିଭଳି ଭାବେ ଘରେ ଛାଡ଼ିକି ଡ୍ୟୁଟି କରିବାକୁ ଯାଇଥିଲେ। ଆଶ୍ଚର୍ଯ୍ୟ କରିବା ପରି କଥା ହେଉଛି ବ୍ୟକ୍ତି ଜଣକ ଅଫିସ୍‌ରେ ପୂରା ଦିନ ରହି ନିଜର କାର୍ଯ୍ୟ ତୁଲାଇଥିଲେ। ସେ ନିଜ ସହକର୍ମୀଙ୍କୁ ହତ୍ୟା ବିଷୟରେ କିଛି ବି କହିନଥିଲେ। ଅଫିସ୍‌ ସରିବା ପରେ ସେ ଘରକୁ ନଫେରି ପୁଲିସ୍‌ ଷ୍ଟେସନ୍‌ ଗଲେ ଓ ସେଠାରେ ଯାଇ ପତ୍ନୀଙ୍କ ହତ୍ୟା କରିଥିବା କଥା ନିଜ ମୁହଁରେ ସ୍ବୀକାର କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଫିସ୍‌ ଯାଇଥିବା କଥା ଶୁଣି ପୁଲିସ୍‌ ବି ଚକିତ ହୋଇ ଯାଇଥିଲା। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।