ନିର୍ବାଚନ ହିଂସାରେ ବିଜେଡି ଏଥର ଦେଶରେ ରେକର୍ଡ କରିଛି : ବିଜେପି

Apr 22, 2019 - 13:34
 161
ଭୁବନେଶ୍ୱର, ୨୦/୪(ସକାଳଖବର): ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ହିଂସାତ୍ମକ ବାତାବରଣ ସୃଷ୍ଟି କରି ବିଭିନ୍ନ ହତ୍ୟା, ମରଣାନ୍ତକ ଆକ୍ରମଣ ଏବଂ ବୁଥ୍ ରିଗିଂ ଏବଂ କ୍ୟାପଚରିଂରେ ଶାସକ ବିଜେଡି ଦଳ ଓଡିଶାରେ ନୁଆ ଇତିହାସ ରଚୁଛି । ବିଜେଡିର ଗୁଣ୍ଡାମାନେ, ବିଧାୟକ ମାନେ, ନେତା, କର୍ମକର୍ତା ମାନେ ହିଂସାରେ ଲିପ୍ତ ଅଛନ୍ତି । ବିଜେପି ପକ୍ଷରୁ ବାରମ୍ଭାର ଅଭିଯୋଗ କରୁଥିଲେ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ପୋଲିସ ପ୍ରଶାସନ ଏଥିରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ଏପର୍ଯ୍ୟନ୍ତ କରିପାରିଲେ ନାହିଁ । ଗତକାଲି ଆଳି ନିର୍ବାଚନୀ ମଣ୍ଡଳୀରେ କେନ୍ଦ୍ରପଡାର ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ରୋଡ ସୋ ଚାଲିଥିବାବେଳେ ବିଜୁ ଯୁବ ବାହିନୀର ଗୁଣ୍ଡାମାନେ ଆକ୍ରମଣ କରି ବିଜେପିର ଗାଡି ଗୁଡିକୁ ଭଙ୍ଗାରୁଜା କରିଛନ୍ତି । ଖୋଲା ଖୋଲି ଭାବେ ଆଇନ ଶୃଙ୍ଖଳାକୁ ବିଜେଡି ଉଜାଡୁଛି । ବିଜେଡି ଦଳର ଗୁଣ୍ଡାମାନେ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରିବା ଘଟଣାରେ ଆଜି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତୁତନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବି ପତ୍ର ପ୍ରଦାନ କରାଯାଇଛି । ଶ୍ରୀ ପଣ୍ଡା ଓ ଆଳି ନିର୍ବାଚନୀ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ଦୋଳ ଗୋବିନ୍ଦ ନାୟକ ଆଳି ଅଂଚଳରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ବିଜେଡି କର୍ମୀ ମଟୁଂ ଜେନାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ବିଜେଡି କର୍ମୀ ଦୁଇଜଣ ବିଜେପି କାର୍ଯ୍ୟକର୍ତା ଅଲେଖ ପରିଡା ଏବଂ ତ୍ରିଲୋଚନ ପାତ୍ରକୁ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଛନ୍ତିି । ବିଜେପିର ଗାଡି ଗୁଡିକୁ ଠେଙ୍ଗା, ଲାଠି ମାଡ କରି ଭଙ୍ଗରୁଜା କରିଛନ୍ତି । ଯାହା ଆଜିର ଖବର କାଗଜ ଏବଂ ବୈଦୁ୍ୟତିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ବିଜୁ ଯୁବ ବାହିନୀର ଗୁଣ୍ଡାମାନେ ଗଣତାନ୍ତ୍ରିକ ବ୍ୟବସ୍ଥାର ହତ୍ୟାକରି ନିର୍ବାଚନ ଜିତିବା ପାଇଁ ବଳପୂର୍ବକ ଏବଂ ଗୁଣ୍ଡାଗିରି କରି ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ନିର୍ବାଚନ ପରିଚାଳନା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ଥିବା ପୋଲିସ ଅଧିକାରୀମାନେ ଏଥିରେ ନିରବଦ୍ରଷ୍ଟା ସାଜୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦାୟୀତ୍ୱରେ ଥିବା ଆଶିଷ ସିଂ ନିଦେ୍ଧର୍ଶରେ ଏଭଳି ହିଂସାତ୍ମକ ଘଟଣା ଘଟୁଥିବାବେଳେ ଏହି ଅଫିସରମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ । ବିଜେଡି ଦଳର ଗୁଣ୍ଡାମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟରେ ନିର୍ବାଚନକୁ ମୁକ୍ତ, ଆବାଧ ଓ ନିରପେକ୍ଷ କରିବାକୁ ରାଜ୍ୟ ମୁଖ୍ୟ ଅଧିକାରୀଙ୍କ ପାଖରେ ଏହି ପ୍ରତିନିଧି ଦଳ ଦାବି କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ଏବଂ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।