ନବମ ଦିନରେ ୫ ପଦକ

Aug 27, 2018 - 17:35
 173
ନବମ ଦିନରେ ୫ ପଦକ
ଜାକର୍ତ୍ତା : ସୋମବାର ନବମ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ,୩ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ସମେତ ମୋଟ ୫ଟି ପଦକ ଜିତିଛି ।ଏହା ସହ ମୋଟ୍ ପଦକକୁ ମିଶାଇ ଭାରତ ମୋଟ୍ ୪୧ ପଦକ ହାସଲ କରିଛି। ପୂର୍ବରୁ ବ୍ୟାଡମିଣ୍ଟନରେ ସାଇନା ନେହୱାଲ ବ୍ରୋଞ୍ଜ ପଦକ ଜିତିଥିଲେ।ଧାରୁନ୍‍ ଆୟାସ୍ୱାମୀ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ୪୮.୯୬ ସେକେଣ୍ଡରେ ଫିନିସ୍‍ ଲାଇନ୍‍ ପାର କରିଥିଲେ। କାତାରର ଆବ୍‍ଦେରରେହ୍‍ମାନ ସାମ୍ବା ୪୭.୬୬ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଜାପାନର ତାକାତୋସି ଆବେ ୪୯.୧୨ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ପୂର୍ବରୁ ଜଣେ ଜାତୀୟସ୍ତରର ଖୋଖୋ ଖେଳାଳି ଥିବା ଧାରୁନ୍‍ ଆୟାସ୍ୱାମୀ ଗତ କିଛିବର୍ଷ ହେଲା ଜାତୀୟ ସ୍ତରରେ ୪୦୦ ମିଟର ହର୍ଡଲ୍‍ସରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତାମିଲନାଡ଼ୁର ତିରୁପୁର ଜିଲାର ୨୧ ବର୍ଷ ବୟସ୍କ ଧାରୁନ୍‍ ମାର୍ଚ୍ଚରେ ଫେଡେରେସନ୍‍ କପ୍‍ରେ ୪୯.୪୫ ସେକେଣ୍ଡ ସମୟ ନେଇ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେମିଫାଇନାଲରେ ଧାରୁନ୍‍ ୪୯.୫୫ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହିଥିଲେ ହେଁ ଫାଇନାଲରେ ତାଙ୍କ ଟାଇମିଂରେ ଉନ୍ନତି କରି ପାରିଛନ୍ତି। କେରଳର ନୀନା ଭାରାକିଲ ୬.୫୧ ମିଟର ଦୂରକୁ ଡେଇଁ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛନ୍ତି। ଏହି କ୍ରମରେ ମାତ୍ର ୦.୦୪ ମିଟର ପାଇଁ ନିନା ସ୍ୱର୍ଣ୍ଣପଦକରୁ ବଞ୍ଚିତ ହୋଇଛନ୍ତି। ଇଣ୍ଡୋନେସିଆର ଥି ଥୁ ଥାଓ ବୁଇ ୬.୫୫ ମିଟର ଦୂରକୁ ଡେଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଚୀନ୍‍ର ଜିଆଓଲିଙ୍ଗ୍‍ ଜ୍ୟୁ ୬.୫୦ ଦୂରତା ହାସଲକରି ବ୍ରୋଞ୍ଜ୍‍ପଦକ ଜିତିଛନ୍ତି।ନିନା ତାଙ୍କ ପ୍ରଥମ ପ୍ରୟାସରେ ୬.୪୧ ମିଟର, ୨ୟ ପ୍ରୟାସରେ ୬.୪୦ ମିଟର ଓ ୩ୟ ପ୍ରୟାସରେ ୬.୫୦ ମିଟର ଦୂରକୁ ଡେଇଁଥିଲେ। ଶେଷ ପ୍ରୟାସରେ ୬.୫୬ ମିଟର ଦୂରତା ହାସଲ କରିଥିଲେ ନିନା ସ୍ୱର୍ଣ୍ଣପଦକ ଜିତି ପାରିଥାଆନ୍ତେ। ଉତ୍ତର ପ୍ରଦେଶର ରାଏ ବରେଲିର ସୁଧା ସିଂହ ୯ ମିନିଟ ୪୦.୦୩ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ବାହାରେନ୍‍ର ୱିନ୍‍ଫ୍ରେଡ୍‍ ୟାବି ୯ ମିନିଟ ୩୬.୫୨ ସେକେଣ୍ଡରେ ରେସ୍‍ ସମାପ୍ତକରି ସ୍ୱର୍ଣ୍ଣପଦକ ଜିତି ପାରିଛନ୍ତି। ଭିଏତ୍‍ନାମର ଥି ଓଆନ୍‍ ଏନ୍‍ଗୁୟେନ୍‍ ୯ ମିନିଟ ୪୩.୮୩ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ାରେ ଏହା ସୁଧା ଙ୍କର ୨ୟ ପଦକ। ୩୨ ବର୍ଷ ବୟସ୍କା ସୁଧା ୨୦୧୦ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଗତଥର ୪ର୍ଥ ସ୍ଥାନରେ ରହିଥିଲେ। ପୁଣି ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ସୁଧା ସିଂହ ୩୦୦୦ ମିଟର ଷ୍ଟିପ୍‍ଲଚେସ୍‍ରେ ସ୍ୱର୍ଣ୍ଣପଦକ ଜିତିଥିଲେ। ୨୦୧୩ ଏସୀୟ ଚମ୍ପିଆନ୍‍ସିପ୍‍ରେ ମଧ୍ୟ ସୁଧା ସ୍ୱର୍ଣ୍ଣପଦକ ଜିତିଥିଲେ।