ନନ୍ଦପୁର ପଞ୍ଚାୟତ ଜନ ପରାମର୍ଶ ପଦଯାତ୍ରା
ଅନୁଗୋଳ,୧୧/୧୨(ସକାଳଖବର): ଅନୁଗୋଳ ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତରେ ଭାଜପା ପକ୍ଷରୁ ଆରମ୍ଭ କରାଯାଇଛି ଜନ ପରାମର୍ଶ ପଦଯାତ୍ରା । ପ୍ରାକ୍ତନ ସାଂସଦ ତଥା ଭାଜପାର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନ ପରାମର୍ଶ ପଦଯାତ୍ରାରେ ଶତାଧିକ ଭାଜପା କର୍ମୀ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ମାଧପୁର ଗାଁରୁ ଜନ ପରାମର୍ଶ ପଦଯାତ୍ରା ଆରମ୍ଭ କରି ନନ୍ଦପୁର,ବ୍ରହ୍ମପୁର,କରତପଟା, କଇରିଆମ୍ବ, ରାଜନଗର ଓ ଚନ୍ଦନପୁର ଆଦି ଗାଁ ଗୁଡ଼ିକୁ ଏହି ପଦଯାତ୍ରା ଯାଇ ଲୋକମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରିବା ସହ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରିବା ନିମନ୍ତେ ପଥପ୍ରାନ୍ତ ସଭା କରିଥିଲେ । ସାତକୋଶିଆ ଅଭୟାରଣ୍ୟ ସୁନ୍ଦରୀ ବାଘୁଣୀ ପ୍ରସଙ୍ଗରେ ଭାଜପା ଜିଲା ସଭାପତି ଭାଗିରଥି ପ୍ରଧାନଙ୍କୁ ବିନା ଦୋଷରେ ଦେଢ଼ ମାସ କାଳ ଜେଲରେ ରଖାଯିବା ରାଜ୍ୟ ସରକାରଙ୍କ ଘୋର ଅନ୍ୟାୟ ବୋଲି ବିଭିନ୍ନ ସଭାରେ ଶ୍ରୀ ପାଣି ଉଲ୍ଲେଖ କରିଥିଲେ । ଏପରିକି କିଛି ଦୋଷ ନଥାଇ ବଇଣ୍ଡା ମଣ୍ଡଳ ସଭାପତି ବିଶ୍ୱଜିତ ମିଶ୍ର ଓ ଜିଲା ସଭାପତିଙ୍କ ଡ଼୍ରାଇଭରଙ୍କୁ ଗିରଫ କରାଯାଇ ଜେଲରେ ଅଟକ ରଖାଯିବା ଅତ୍ୟାଚାରର ଚରମ ନିଦର୍ଶନ ବୋଲି ଶ୍ରୀ ପାଣି ପ୍ରକାଶ କରିଥିଲେ । ଏହି ପଦଯାତ୍ରାରେ ମଣ୍ଡଳ ସଭାପତି ପ୍ରଭାତ ପ୍ରଧାନ ଜିଲା ଉପସଭାପତି ସରୋଜ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୀନକେତନ ଅମାନ୍ତ ଓ ପ୍ରତାପ ପ୍ରଧାନ ଜିଲା ଓବିସି ମୋର୍ଚ୍ଚା ସଭାପତି ଦିଲ୍ଲୀପ ପ୍ରଧାନ ଜିଲା କୃଷକ ମୋର୍ଚ୍ଚା ସଭାପତି ଜଗନ୍ନାଥ ଗଡ଼ନାୟକଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇ ଜନସାଧାରଣଙ୍କ ସହିତ ପରାମର୍ଶ କରିଥିଲେ ।