ଦଳରେ ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ - ନିରଂଜନ

Dec 9, 2018 - 17:10
 144
ଦଳରେ ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ - ନିରଂଜନ
ଭୁବନେଶ୍ୱର,୯/୧୨(ସକାଳଖବର: କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ପଦବୀରୁ ହଟାଇଦିଆଯିବା ପରେ ଅନ୍ୟାନ୍ୟ କମିଟର ସଦସ୍ୟ ପଦବୀରୁ ଇସ୍ତଫା ଦେବା କଥା ମୁଁ ଜାଣିନାହିଁ । ଏ ସମ୍ପର୍କରେ ସେ ମୋତେ ଲିଖିତ ଆକାରରେ ଦେଇ ନାହାନ୍ତି କି ମୌଖିକ ଭାବେ ଜଣାଇ ନାହାନ୍ତି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯଦିବା ସେ ଇସ୍ତଫା ଦେଇଥାନ୍ତି ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ଶ୍ରୀ ଜେନା ଇସ୍ତଫା ସମ୍ପର୍କରେ ଦଳର ରାଷ୍ଟ୍ରୀୟ ସଭାପତି ରାହୁଳ ଗାନ୍ଧୀଙ୍କୁ ଅବଗତ କରାଇଛନ୍ତି । ଏହା ଦ୍ୱାରା ଦଳ ଉପରେ ପ୍ରଭାବ ପଡ଼ିବ କି ବୋଲି ପ୍ରଶ୍ନ ହେବାରୁ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପ୍ରଶ୍ନ ଉଠୁନାହିଁ । ଯଦି ପ୍ରଭାବ ପଡ଼ୁଥାନ୍ତା ତାଙ୍କ ସଭାରେ ଏତେ ଲୋକ ହେଉଥାନ୍ତେ କେମିତି । ଦଳରେ ଯିଏ ବିଶୃଙ୍ଖଳା ସୃଷ୍ଟି କରିବ ତା ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ ସାଲିସ କରିବା ପ୍ରଶ୍ନ ଉଠୁନାହିଁ । ଅନ୍ୟପକ୍ଷରେ ଦଳର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଶ୍ରୀ ଜେନାଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ବର୍ତମାନ କଂଗ୍ରେସର ସ୍ଥିତି ଦେଶରେ ଭଲ ଆଡ଼କୁ ଗତି କରୁଛି । ନିକଟରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇନଥିଲେ ହେଁ ଭୋଟର ମାନଙ୍କ ମୋଡ଼ରୁ ଜଣାପଡ଼ିଛି । ଶ୍ରୀ ଜେନା ଯାହା କହିଛନ୍ତି ବର୍ତମାନ ପାଇଁ ତାହା ଉପଯୁକ୍ତ ନୁହେଁ । ଆଗକୁ ଅଧିକ ମନ୍ତବ୍ୟ ନ ଦେଇ ମନ ପରିବର୍ତନ କରନ୍ତୁ । ଯାହାକ ନିଜର ଏବଂ ଦଳର ଉନ୍ନତି ଘଟିବ । ଇସ୍ତଫା ଦେବା ସମୟ ଉପଯୋଗୀ ନୁହେଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ଜେନାଙ୍କୁ ଇସ୍ତାହାର କମିଟର ଅଧ୍ୟକ୍ଷ ପଦବୀରୁ ହଟାଇ ଦିଆଯିବା ପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ଦୀର୍ଘ ୪୦ ବର୍ଷ ଧରି ଦୁଇଟି ପରିବାର ଓଡ଼ିଶାକୁ ଶାସନ କରୁଛନ୍ତି । ସେ ଖଣି ପ୍ରସଙ୍ଗ ଉଠାଇ କିଛି ଭୁଲ୍ କରି ନାହାନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ଥିଲା ବେଳେ ସେ ଦଳିତ ଓ ଓବିସି ସମ୍ପର୍କରେ ଦେଇଥିବା ପ୍ରସ୍ତାବରେ ନିରଂଜନବାବୁ ରାଜି ହେଲେ ନାହିଁ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବ୍ୟକ୍ତିଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ଏବଂ ମୁଖ୍ୟମନ୍ତ୍ରୀ ଓବିସିକୁ ଦେବା ମନ୍ତବ୍ୟ ଦେଇଥିଲେ । ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତା ଦ୍ୱାରା କେତେ ଲାଭ କେତେ କ୍ଷତି ସେ ସମ୍ପର୍କରେ ଜଣାଇବା ପାଇଁ ପ୍ରତି ଗାଁକୁ ଯାଇ ଲୋକଙ୍କୁ ଅବଗତ କରାଇବେ । ଆବଶ୍ୟକ ପଡ଼ିଲେ ରାହୁଳ ଗାନ୍ଧୀକୁ ମଧ୍ୟ ଭେଟିବେ । ଅପରପକ୍ଷରେ କଂଗ୍ରେସ ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଶ୍ରୀ ଜେନାଙ୍କର ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳରେ ଶୃଙ୍ଖଳାକୁ ବଜାୟ ରଖାଯିବ । ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଇସ୍ତଫା ଦେବା ତାଙ୍କର ବ୍ୟକ୍ତିଗତ ଇଚ୍ଛା ।