ଡ଼ମ୍ଫର ଧକ୍କାରେ ଛାତ୍ରୀ ମୃତ : ୩ ଗୁରୁତର

Aug 27, 2019 - 18:23
 106
ଡ଼ମ୍ଫର ଧକ୍କାରେ ଛାତ୍ରୀ ମୃତ : ୩ ଗୁରୁତର
ବାରିପଦା, ୨୭/୮(ସକାଳଖବର): ସ୍କୁଲ୍ ଛୁଟି ପରେ ଦୁଇ ସାଥୀଙ୍କ ସହିତ ପଡେ଼ାଶୀ ତଥା ସମ୍ପର୍କୀୟ କକାଙ୍କ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତାରେ ପଛରୁ ଧକ୍କା ଦେଲା ଡ଼ମ୍ଫର । ଫଳରେ ଘଟଣାସ୍ଥଳରେ ୪ ବର୍ଷିୟା ଛାତ୍ରୀ ଆରତୀ ବଦ୍ରାଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣାରେ ତାଙ୍କର ଅନ୍ୟ ଦୁଇ ସାଥୀ ଓ ପଡେ଼ାଶୀ ଗୁରୁତର ହୋଇଛନ୍ତି । ଆଜି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଂଚଳରେ । ସୂଚନା ଅନୁଯାୟୀ, ବାଦାମପାହାଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଥମ ଶ୍ରେଣୀରେ ପଢୁଥିବା ଶିଶୁକନ୍ୟା ଆରତୀ ବଦ୍ରା ସ୍କୁଲ୍ ଛୁଟି ପରେ ଘରକୁ ଫେରୁଥିବା ବେଳେ ଘଟିଯାଇଥିଲା ଏହି ଦୁର୍ଘଟଣା । ଆଇରନ୍ ବୋଝେଇ ଟ୍ରକ୍ ଟି ବାଇକ୍ କୁ ପଛରୁ ଧକ୍କା ଦେଇ ଆରତୀଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଦୁର୍ଘଟଣାରେ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ଓ ପଡେ଼ାଶୀ ଗୁରୁତର ହୋଇଥିଲେ । ଘଟଣାରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଡ଼ମ୍ଫର ଚାଳକକୁ ନିର୍ଦ୍ଧୁମ ମାଡ ମାରି ଲହୁ ଲୁହାଣ କରି ପକାଇଥିଲେ । ଏଥିସହ ପୋଲିସ ଓ ଆମ୍ବୁଲାନ୍ସ ଆସିବାରୁ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ଘଟଣାସ୍ଥଳକୁ ଛାଡି ନଥିଲେ । ଫଳରେ ସେଠାରେ ଚାପା ଉତେଜନା ପ୍ରକାଶ ପାଇଥିଲା । ଏଥିସହ ଉତ୍ୟକ୍ତ ସ୍ଥାନୀୟ ଲୋକେ ବାଦାମ ପାହାଡ଼ରେ ଥିବା ଆଇରନ୍ କମ୍ପାନୀ ଲାଲ ଟ୍ରେଡ଼ର୍ସ ଏଜେନ୍ସୀର କାର୍ଯ୍ୟାଳୟକୁ ଘେରାଉ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି ।