ମାଟିରେ ମିଶିଲା ଶହ ଶହ ବର୍ଷର ଐତିହ୍ୟ ଲଙ୍ଗୁଳି ମଠ

Aug 27, 2019 - 18:24
 175
ପୁରୀ, ୨୭/୮(ସକାଳଖବର): ପବିତ୍ର ଧାମ ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ସରକାରଙ୍କ ଘୋଷଣା ପରେ ପ୍ରଥମେ ଶ୍ରୀମନ୍ଦିରର ମେଘନାଦ ପାଚେରୀ କଡରେ ରହିଥିବା ଜବରଦଖଲ ଉଚ୍ଛେଦ ସରିଛି । ହେଲେ ଆଜି ଠାରୁ ଶ୍ରୀମନ୍ଦିରର ମେଘନାଦ ପାଚେରୀର ଚତୁଃପାଶ୍ୱର୍ରୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ବିପଦଶଙ୍କୁଳ ଅବସ୍ଥାରେ ଥିବା ଦର୍ଶାଇ ପ୍ରଥମେ ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ସମସ୍ତ ଦୋକାନ ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଫଳରେ ଶ୍ରୀକ୍ଷେତ୍ରର ଐତିହ୍ୟ ଭାବରେ ପରିଚିତ ପାଇଥିବା ଓ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଠାରୁ ମାତ୍ର ୩୦ ମିଟର ପରିସରରେ ଥିବା ଶହ ଶହ ବର୍ଷର ଲଙ୍ଗୁଳି ମଠକୁ ଜେସିବି ଲଗାଇ ପ୍ରଶାସନ ମାଟିରେ ମିଶିଯାଇଛି । ଫଳରେ ଏହି ମଠ ପରିସରରେ ଶହ ଶହ ବର୍ଷ ଧରି ବ୍ୟବସାୟ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ଆଜି ଉଚ୍ଛେଦ ହେଲା ପରେ ବେସାହାରା ହୋଇଯାଇଛନ୍ତି । ଏହି ଉଚ୍ଛେଦକୁ ନେଇ ବ୍ୟସାୟୀଙ୍କ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପ୍ରଥମେ ସେମାନଙ୍କୁ ଥଇଥାନ କରିବାର ଯୋଜନା ନକରି ତାଙ୍କୁ ହଠାତ୍ ଉଚ୍ଛେଦ କରିବା ଫଳରେ ସେମାନଙ୍କ ସମେତ ପୁରୀବାସୀ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ଏନେଇ ସନ୍ତୋଷ ସାହୁ ନାମକ ଜଣେ ବ୍ୟବସାୟୀ ଆଖି ଛଳ ଛଳ ହୋଇ କୁହନ୍ତି,ଆମ୍ଭ ପରିବାର ଦୁଇଦିନ ହେଲା ଉପାସରେ ରହିଛୁ । ଏପରିକି ପରିବାର ମଧ୍ୟରୁ ହସଖୁସି ଚାଲିଯାଇଛି । ଏଠାରେ ଦୀର୍ଘବର୍ଷ ହେଲା ବ୍ୟବସାୟୀ କରି ଚଳୁଥିଲୁ । ହେଲେ ପ୍ରଶାସନ ଗତକାଲି ନୋଟିସ୍ କରିବାର କିଛି ସମୟରେ ପୋଲିସ ଲଗାଇ ତୁରନ୍ତ ଦୋକାନ ଖାଲି କରିବାକୁ ନିର୍ଦେଶ ଦେଇଥିଲେ । ନ ଚେତ୍ ତୁମ୍ଭ ଦୋକାନ ଘର ସମେତ ସମସ୍ତ ଆନୁଷଙ୍ଗିକ ଜିନିଷ ମାଟିରେ ମିଶିବ ବୋଲି କହିଥିଲେ । ତେଣୁ ଆମ୍ଭେ ଭୟରେ ପରିବାର ଲୋକେ ଏକାଠି ହୋଇ ସମସ୍ତ ଜିନିଷ ବୋହି ନେଲୁ । ମାତ୍ର ଆଜି ଭୋର୍ ସମୟରେ ଶ୍ରୀମନ୍ଦିରରର ଚତୁଃପାଶ୍ୱର୍ରେ ପୋଲିସ ଛାଉଣୀ କରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେଠାକୁ କାହାରିକୁ ଛଡା ଯାଉନାହିଁ । କାଳେ ଉଚ୍ଛେଦ ସମୟରେ କିଛି ଅପ୍ରିତିକର ପରିସ୍ଥିତି ସୁଷ୍ଟି ହେବ ସେ ନେଇ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତତ୍ ସହିତ ଓଏସଏଫ ଫୋର୍ସ ମଧ୍ୟ ସଜାଗ ରହିଥିବା ବେଳେ ୮ ଜଣ ମାଜିଷ୍ଟ୍ଟେଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ଥଇଥାନ ନ କରି ହଠାତ୍ ଏଭଳି ଉଚ୍ଛେକୁ ପୁରୀ ବାସିନ୍ଦା ସହଜରେ ଗ୍ରହଣ କରିପାରୁନାହାନ୍ତି । ଫଳରେ ଏହି ତରବରିଆ ଉଚ୍ଛେଦକୁ ନେଇ ଗତକାଲି କେତେଜଣ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବ୍ୟବସାୟୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ଉଚ୍ଛେଦ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟକୁ ତଦାରଖ କରୁଛନ୍ତି । ଆଜି ଲଙ୍ଗୁଳି ମଠ ଉଚ୍ଛେଦ ପରେ ଅନ୍ୟ ମଠ ଭଙ୍ଗା ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।