ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିଜୁ ଛାତ୍ର ଜନତା ଦଳର ସ୍ୱାଗତ

Aug 27, 2019 - 18:23
 100
ବାରିପଦା, ୨୭/୮(ସକାଳଖବର): ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିଦେ୍ର୍ଧଶନାମା ଅନୁସାରେ ଚଳିତ ବର୍ଷ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ହେଉଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍ କରାଯାଇଛି । ଉକ୍ତ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ନିଦେ୍ର୍ଧଶକୁ ମୟୂରଭଞ୍ଜ ଜିଲ୍ଲାରେ ଏବିଭିପି, ଡ଼ିଏସଓ, ଭଞ୍ଜସେନା ଆଦି ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ସମର୍ଥନ ଜଣାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ ନାୟକ ଏକ ପ୍ରେସ ଇସ୍ତାହାରରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଦର୍ଶାଇଛନ୍ତି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଅଣଛାତ୍ରମାନଙ୍କର ପ୍ରାଦୁର୍ଭାବ ହ୍ରାସ ପାଇବ । ନିର୍ବାଚନ ବଦଳରେ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ନେତା ମନୋନୀତ କରାଯିବା ଦ୍ୱାରା ମେଧାବୀ ଛାତ୍ର ନେତୃତ୍ୱ ନେବାର ସୁଯୋଗ ପାଇବେ । ନିର୍ବାଚନକୁ ନେଇ ଦେଖାଦେଉଥିବା ଛାତ୍ର ବିଶୃଙ୍ଖଳା ହ୍ରାସ ପାଇବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଶତ୍ରୁତା ଏବେ ବନ୍ଧୁତାରେ ପରିଣତ ହେବ । ତେଣୁ ଛାତ୍ର ସଂସଦ ନିର୍ବାଚନ ବଦଳରେ ଛାତ୍ର ପ୍ରତିନିଧି ଚୟନ ବ୍ୟବସ୍ଥା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଦର୍ଶାଯାଇଛି ।