ଟେଣ୍ଟ ହାଉସ୍ ମାଲିକକୁ ସୁରକ୍ଷା ଦେଉଛି କିଏ?
ଅନୁଗୋଳ ,୯/୧୨(ସକାଳଖବର): ତାଳଚେର-ମେରାମଣ୍ଡଳୀ-ଅନୁଗୋଳର ବିକାଶ ପାଇଁ ଗଠଇତ ତାମଡ଼ାରେ କର୍ମଚାରୀରାଜ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି । ବହୁ ଦିନ ଧରି ଜଣେ ଟେଣ୍ଟ ହାଉସ୍ ତାମଡ଼ାର କଲ୍ୟାଣ ମଣ୍ଡପ କିଛି ଅଂଶକୁ ନିଜ କବ୍ଜାରେ ରଖିଛନ୍ତି । ସେଠାରେ ନିଜ ଜିନିଷ ପତ୍ର ରଖିବା ସହ ତାଙ୍କ ଶ୍ରମିକମାନଙ୍କୁ ବି ରଖୁଛନ୍ତି । ଟେଣ୍ଟ ହାଉସ ମାଲି୍କ ନିଜ ସାମଗ୍ରୀ ଓ ଲୋକ ରଖି ତାମଡ଼ାର ପାଣି ଓ ବିଜୁଳି ବି ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ତାମଡ଼ାକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଟେଣ୍ଟ ହାଉସ୍ ମାଲିକ ବେଟ୍ ଭଲ ରୋଜଗାର କରୁଛନ୍ତି । ହେଲେ ତାମଡ଼ାକୁ କିନ୍ତୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି । ଟେଣ୍ଟ ହାଉସ ମାଲିକଙ୍କୁ ଏଥି ପାଇଁ କିଏ ଅନୁମତି ଦେଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି କେହି ଅନୁମତି ଦେଇ ନାହାନ୍ତି, ତାହେଲେ ତାମଡ଼ା କର୍ତ୍ତୃପକ୍ଷ କଣ ପାଇଁ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ତାହା ବୁଝି ହେଉନାହିଁ । ବ୍ୟକ୍ତିବିଶେଷଙ୍କ ମୁଖା ଖୋଲାଯିବାକୁ ଜନସାଧାରଣରେ ଦାବି ହେଉଛି । ଅନୁଗୋଳ ସହରରେ ତାମଡ଼ାର ୪/୫ଟି ମାର୍କେଟ କମ୍ପ୍ଲେକ୍ସ ଭଡ଼ାରେ ଲାଗିଛି । ଦୋକାନଗୃହ ଭଡ଼ା ନେଉଥିବା ଦୋକାନୀମାନେ ବେଶ ରୋଜଗାର କରୁଛନ୍ତି । ଦୋକାନୀମାନେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଉପାର୍ଜନ କରୁଥିବା ବେଳେ ସେମାନଙ୍କଠାରୁ ନିୟମିତ ଭଡ଼ା ଆଦାୟ କରାଯାଉ ନାହିଁ । ଅନେକ ଦୋକାୀ ବହୁ ଦିନ ହେଲା ଭଡ଼ା ଦେଇନାହାନ୍ତି । ଅପରପକ୍ଷେ ଯଦି ବି କେତେବେଳେ ଆଦାୟ ହେଉଛି, ତାହା ଠିକ ସମୟରେ ତାମଡ଼ା ଖାତାରେ ଜମା କରାଯାଉନାହିଁ । ଦାୟିତ୍ୱରେ ଥିବା କର୍ମଚାରୀମାନେ ମାସକୁ ମାସ ଦରମା ନେଉଛନ୍ତି, କିନ୍ତୁ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି । ଏସବୁ ସଂକ୍ରାନ୍ତରେ ତାମଡ଼ା କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି ।