ଜ୍ଞାନ ସହ କୌଶଳ ମଧ୍ୟ ଶିକ୍ଷା ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି-ଧର୍ମେନ୍ଦ୍ର
ଅନୁଗୁଳ, ୧୬/୧(ସକାଳଖବର): ଶିକ୍ଷାର ଆବଶ୍ୟକତା ବଦଳୁଛି । ଆଜି ଜ୍ଞାନ ସହ କୌଶଳର ଆହ୍ୱାନ ସମସ୍ତଙ୍କ ପାଖରେ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟଜୟନ୍ତୀ ସମାରୋହ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ସରସ୍ୱତୀ ବିଦ୍ୟା ମନ୍ଦିର ୨୫ ବର୍ଷ ପୂରିବା ଅବସସରରେ ଏଠାରେ ସମସ୍ତଙ୍କୁ ଏକାଠୀ କରିଛି ।ଏହି ସ୍କୁଲ ଏ ଅଂଚଳରେ ଶିକ୍ଷାର ବିକାଶ ପାଇଁ ଭଲ ଦାୟିତ୍ୱ ନିର୍ବାହ କରିଚାଲିଛି । ଗରୀବ ଓ ସାମାନ୍ୟ ଘରର ପିଲାଙ୍କୁ ମେଧାବୀ ଛାତ୍ରଛାତ୍ରୀରେ ପରିଣତ କରିବା କାମରେ ବିଦ୍ୟାଳୟ ଲାଗିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସ୍ୱାଧୀନତା ପରେ ତାଳଚେରର ଥର୍ମାଲ, ନାଲେକୋ, ଏନଟିପିସି, ଅନେକ ଘରୋଇ ଶିଳ୍ପ ଦ୍ୱାରା ଅନୁଗୁଳ, ତାଲଚେର, ଢେଙ୍କାନାଳ, ଆଠମଲ୍ଲିକ, କାମାକ୍ଷାନଗର ଅଂଚଳ ବିଶେଷ କରି ଅନୁଗୁଳର ବଁଅରପାଳ, ଛେଣ୍ଡିପଦା ଓ ଢେଙ୍କାନାଳର ହିନେ୍ଦାଳ ଅଂଚଳ ଦେଶର ଆର୍ଥିକ ସମ୍ପନ୍ନତାରୁ ଅଧିକ ଅଛି । କିନ୍ତୁ ସ୍ଥାନୀୟ ଲୋକମାନଙ୍କୁ ରୋଜଗାର ଓ ଆର୍ଥିକ ସମ୍ଭାବନାକୁ ତୁଳନା କରାଗଲେ ଏଠାରେ ନୈରାଶ୍ୟଜନକ ସ୍ଥିତି ଦେଖିବାକୁ ମିଳୁଛି । ଏ ଅଂଚଳର ଶିକ୍ଷା ଓ ଅର୍ଥନୀତିକୁ ଯୋଡିବାର ସମ୍ଭାବନାରେ ଆଜି ପ୍ରଶ୍ନ ସୃଷ୍ଟି ହୋଇଛି । ଅନୁଗୁଳ ଜିଲ୍ଲା ଅଂଚଳରେ ଲୋକମାନେ ଖାଲି ଟ୍ରକର ମାଲିକ ହେଲେ, ହୋଟେଲ, ଦୋକାନ ଖୋଲିଲେ ଚଳିବ ନାହିାଁ କାହିଁକି ବଡବଡ ପ୍ଲାଂଟର ମାଲିକ ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ସମସ୍ତ କଥାକୁ ଏ ଅଂଚଳର ଗୁରୁଜନମାନେ ବିଚାରକୁ ନେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନରେନ୍ଦ୍ର ମୋଦିଙ୍କ ସରକାର ଖଣି ଅଂଚଳର ଖଣି ଖାଦାନରୁ , ଜିଲ୍ଲା ମିନେରାଲ ଡେଭଲପମେଂଟ ଫଣ୍ଡରେ ଅନୁଗୁଳ ଜିଲ୍ଲାକୁ ପାଖାପାଖି ୧୦୦୦ କୋଟି ଟଙ୍କା ଦେଇଛନ୍ତି । ପଇସା ଓ ସମ୍ଭାବନାର ଅଭାବ ନାହିଁ । କୋଇଲା, ବିଜୁଳି, ଆଲୁମିନିୟମ ଯଦି ଦେଶ ଦୁନିଆକୁ ଯାଇପାରୁଛି ତେବେ ଏ ଅଂଚଳରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ , ଅପାର ସମ୍ଭାବନାକୁ ବାସ୍ତବତାରେ ପରିିଣତ କରିବା ଓ ଅର୍ଥନୀତିକୁ ସଦୃଢ କରିବା ସମସ୍ତେ ଆଗେଇ ଆସିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।