ହସ୍ତୀ ଦିବସ ପାଳନକୁ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତିର ବିରୋଧ

Aug 12, 2018 - 18:10
 155
ହସ୍ତୀ ଦିବସ ପାଳନକୁ  କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତିର ବିରୋଧ
ଅନୁଗୋଳ,୧୨/୮(ସକାଳଖବର): ସାତକୋଶିଆ ବନଖଣ୍ଡ ଓ ସାତକୋଶିଆ ପ୍ରଜା ସୁରକ୍ଷା ସମିତି ମଧ୍ୟରେ ଦୀର୍ଘ ଦିନ ହେଲା ବାଦ ବିବାଦ ଲାଗି ରହିଛି । ତେବେ ଆଜି ବନ ବିଭାଗ ପକ୍ଷରୁ ଟାଇଁସି ଓ କନ୍ତପଡ଼ା ହାଇସ୍କୁଲଠାରେ ପାଳନ ହେବାକୁ ଥିବା ହସ୍ତୀ ଦିବସକୁ କ୍ଷତିଗ୍ରସ୍ତ ସୁରକ୍ଷା ସମିତି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ସମିତି ସଭାପତି ଜନାର୍ଦ୍ଧନ ସାହୁଙ୍କ ନେତୃତ୍ୱରେ ଟାଇଁସି ଅନ୍ତୁଳିଆ କୋଠଭୂଇଁ ଓ କନ୍ତପଡ଼ା ପଞ୍ଚାୟତର ଲୋକମାନେ ବନ ବିଭାଗର ଏହି ହସ୍ତୀ ଦିବସ ପାଳନକୁ ଦୃଢ଼ ବିରୋଧ କରିଥିବା ଜଣାଯାଇଛି । ହାଇ ସ୍କୁଲ ସମ୍ମୁଖରେ ଲୋକମାନେ ଡ଼ିଏଫ୍ଓ ଏସ୍.ଏମ୍.ଟି ରେହମାନ ଓ ବନ ବିଭାଗ ବିରୋଧରେ ସ୍ଲୋଗାନ ଦେଇ ବିରୋଧ କରିଥିଲେ । ଫଳରେ ବନ ବିଭାଗ କର୍ମଚାରୀମାନେ ହସ୍ତୀ ଦିବସ ପାଳନକୁ ଯାଇପାରିନଥିଲେ । ତାଙ୍କର ଦାବୀ ଯେ, ବନ ବିଭାଗ ଅଧିନରେ ଟାଇଁସି ଅନ୍ତର୍ଗତ ସାହଜବାହାଳଠାରୁ ଜୟନ୍ତୀ ନଗରକୁ ଏକ ରାସ୍ତା ରହିଛି । ଏହି ରାସ୍ତା ଦେଇ ପୁରୁଣା କଣ୍ଟାବେଡ଼ା ଅବସ୍ଥିତ । ଏହି ରାସ୍ତାର ଅବସ୍ଥା ଅତି ଦୟନିୟ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଉନ୍ନତି କରଣ ନିମନ୍ତେ ଧ୍ୟାନ ଦିଆଯାଉନାହିଁ । ଅପରପକ୍ଷେ ଗ୍ରାମବାସୀ ଦ୍ୱାରା ନାଳ ମରାମତି କାମକୁ ଡ଼ିଏଫଓ ରେହମାନ କଟକଣା କରିବା ସହ କାର୍ଯ୍ୟରତ ଲୋକମାନଙ୍କୁ ଥାନାରେ ଭର୍ତ୍ତୀ କରିଦେବା ଭୟ ଦେଖାଉଛନ୍ତି । ଏନେଇ ଅଞ୍ଚଳ ଲୋକମାନେ ତୀବ୍ର ପ୍ରତିକ୍ରିୟା କରିଛନ୍ତି । ଯେ ପର୍ଯ୍ୟନ୍ତ ବନ ବିଭାଗ ଜନ ସାଧାରଣଙ୍କୁ ସହଯୋଗ କରିନାହିଁ ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କହିଛନ୍ତି । ଏବଂ ହସ୍ତୀ ଦିବସ ପାଳନକୁ ବନ୍ଦ କରିବା ପାଇଁ ହାଇ ସ୍କୁଲର ଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଥିଲା । ଏବଂ କୌଣସି ବ୍ୟକ୍ତି ଶିକ୍ଷକମାନଙ୍କୁ କଟୁ ଭାଷା ନକହିବା ପାଇଁ ସଭାରେ ବାରଣ କରାଯାଇଥିଲା । ଏହି ଆନେ୍ଦାଳନରେ ପ୍ରଜା ସୁରକ୍ଷା ସମିତିର ଉପଦେଷ୍ଟା ଦିଲେଶ୍ୱର ପ୍ରଧାନ, ଆଡ଼ଭୋକେଟ ପ୍ରଦୀପ ପ୍ରଧାନ, କୁମୁଦ ଚନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ଜୟାନନ୍ଦ ସାହୁ, ରାଧାକାନ୍ତ ସାହୁ, ଉମାକାନ୍ତ ପ୍ରଧାନ,ଲିଟୁନ ସାହୁଙ୍କ ସମେତ ବହୁ ଜନସାଧାରଣ ଆନେ୍ଦାଳନରେ ସାମିଲ ହୋଇଥିଲେ ।